ବୁଢୀମାଉସୀ ଦୋକାନରେ ପହଞ୍ଚି ପ୍ରତିଶ୍ରୁତି ଦେଲେ ବିଧାୟକ ସ୍ୱରୂପ ଦାସ । କହିଲେ, ମାଉସୀ ବ୍ୟସ୍ତ ହଅନା… ସବୁ ସମସ୍ୟା ମୁଁ ସମାଧାନ କରିଦେବି…

405

କନକ ବ୍ୟୁରୋ: ବୁଢୀମାଉସୀ ପାଖରେ ପହଞ୍ଚିଲେ ବିଧାୟକ । ଜୀବନ ଯୁଦ୍ଧରେ ଏକାଏକା ଲଢୁଥିବା ବୁଢୀ ମାଉସୀର ସଙ୍ଘର୍ଷର କାହାଣୀ ଦେଖି ପାଖକୁ ଧାଇଁଗଲେ ସଦର ବିଧାୟକ ସ୍ୱରୁପ ଦାଶ । ୯୨ ବର୍ଷରେ କେମିତି ଜଣେ ବୃଦ୍ଧା ପାନ ଭାଙ୍ଗି ପରିବାର ଚଳାଉଛି, ବୟସର ପଶ୍ଚିମ ତୀରରେ ନଇଁ ପଡିଥିବା ଅଣ୍ଟାକୁ ସିଧା କରି ଘରର ବୋଝ ବୋହୁଛି । ଆଉ ତା ଚମ ଧୁଡୁଧୁଡୁ ଶକ୍ତିହୀନ ହାତରେ କେମିତି ଆତ୍ମବିଶ୍ୱାସର ଅଗ୍ନି ଜାଳି ଜୀବନ ଜିଉଁଛି । ଏ କଥା କନକ ନ୍ୟୁଜରୁ ଦେଖିବା ପରେ ବ୍ୟଥିତ ହୋଇଥିଲେ ବିଧାୟକ । ଆଉ ସଙ୍ଗେ ସଙ୍ଗେ ମାଉସୀଙ୍କ ପାଖକୁ ଯାଇ ତାଙ୍କୁ ଭେଟିଥିଲେ । କହିଥିଲେ, ମାଉସୀ ବ୍ୟସ୍ତ ହଅନା… ତୋର ସବୁ ସମସ୍ୟା ମୁଁ ସମାଧାନ କରିଦେବି । ବାସ୍ ବିଧାୟକଙ୍କ ଏଇ ପଦିଏ କଥା ପରେ ହର ମାଉସୀ ମୁହଁରେ ହସ ଫୁଟିଛି । ତା ପାନଖିଆ ପାଟିର ଖିଲି ଖିଲି ନାଲି ହସ ପାଙ୍ଗୁଳା ପାଟି ଦେଇ ବାହାରି ଆସିଛି । ଆଉ ଦୀର୍ଘ ଦିନ ପରେ ମାଉସୀ ମାରିଛି ଏକ ଦୀର୍ଘ ନିଶ୍ୱାସ ।

ବାଲେଶ୍ୱର ମାଣିଖମ୍ବ ଅଞ୍ଚଳରୁ ଚାଲି ଚାଲି ଆସି ଟାଉନ ହଲ ଛକରେ ପାନ ଦୋକାନ କରି ପରିବାର ପୋଷୁଥିବା ୯୨ ବର୍ଷର ବୁଢି ମାଉସୀ ହରପ୍ରିୟା ଦେଙ୍କ କଷ୍ଟର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ମାତ୍ର ୯ ବର୍ଷରୁ ବିବାହ କରି ୨୦ ବର୍ଷରେ ସ୍ୱାମୀ ହରାଇଥିବା ହରମାଉସୀ ଏକାଏକା ଆଜି ଯାଏଁ ଅନେକ କଷ୍ଟ ସହିଛନ୍ତି କିନ୍ତୁ କେବେ କାହା ପାଖେ ହାତ ପାତି ନାହାନ୍ତି କି ହାରି ନାହାନ୍ତି । ମାଉସୀଙ୍କ ଏଇ ସ୍ୱାଭିମାନ ମନବୃତ୍ତି ପାଇଁ ବିଧାୟକ ସ୍ୱରୂପ ଦାଶ ସରକାରୀ ଯୋଜନାରେ ତାଙ୍କୁ ଗୋଟେ ଘର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ବିଧାୟକଙ୍କୁ ଦେଖି କାନ୍ଦି ପକାଇଥିଲେ ହରମାଉସୀ । ଏତେ ଦିନ ହେବ କେହି ତାଙ୍କ କଥା ଶୁଣୁ ନଥିବା ବେଳେ ସେ ତାଙ୍କ ଦୁଃଖ ଶୁଣିଛନ୍ତି । ଦୀର୍ଘ ଦିନ ହେବ ଅଣଦଖା ପରେ ତାଙ୍କ ଉପରେ କାହାର ନଜର ପଡିଛି । ଏଇ କଥା ଭାବି ଆଖି ଛଳ ଛଳ କରିବା ସହ ପୁଅ ଭଳି ବିଧାୟକଙ୍କ ମୁଣ୍ଡରେ ତାଙ୍କ ଆଶିର୍ବାଦର ହାତ ବୁଲାଇ ଆଣିଛନ୍ତି ।

ହରମାଉସୀର ଏ ଶକ୍ତିହୀନ ହାତକୁ ଧରି ବିଧାୟକ ସ୍ୱରୂପ ଶକ୍ତ ପ୍ରତିଶ୍ରୁତି ଦେବାପରେ ଶ୍ରଦ୍ଧାରେ ମାଉସୀ ନିଜ ଦୋକାନରୁ ସମସ୍ତଙ୍କୁ ସ୍ନେହର ଚକୋଲେଟ ବାଣ୍ଟିଛନ୍ତି । କୁହାଯାଏ ଜୀବନରେ ଯେତେ କଷ୍ଟ ଥାଉ, ଯେତେ ଦୁଃଖ ଥାଉ ଯଦି ହୃଦୟରୁ ଗୋଟେ ଖୋଲା ହସ ହସି ମଣିଷ ବଞ୍ଚୁଛି ତେବେ ସେ ମଲାଯାଏଁ ସମସ୍ତଙ୍କ ମନକିଣୁଥିବ । ଏଇ ଯେମିତି ହରମାଉସୀ, ହଜାରେ ହଇରାଣ ଭିତରେ ବି ତା ପାନୁଆ ପାଟିରେ ହସଟେ ହସିବାକୁ ଭୁଲେନି…