ବିଷ ବଳୟରେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ । ଆକାଶ ଧୂଆଁ ଧୂଆଁ, ନାଳରେ ଭାସୁଛି କାରଖାନାର ବର୍ଜ୍ୟବସ୍ତୁ ।

85

କନକ ବ୍ୟୁରୋ: ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ହେଉଛି ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ । କଳକାରଖାନାରୁ ନିର୍ଗତ ହେଉଥିବା ଧୂଆଁ ଓ ବର୍ଜ୍ୟବସ୍ତୁ ଯୋଗୁଁ ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଲୋକେ । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ । ନିକଟସ୍ଥ ଗଣ୍ଡା ନାଳରେ କାରଖାନାର ବିଷାକ୍ତ ଜଳ ପ୍ରବାହିତ ହେଉଥିବାରୁ ପ୍ରଭାବିତ ହେଉଛି ଫସଲ । ତେବେ ପ୍ରଦୂଷଣକୁ ନେଇ ସ୍ଥାନୀୟ ଲୋକେ ଅଣନିଶ୍ୱାସୀ ହୋଇପଡିଥିବା ବେଳେ କଳିଙ୍ଗନଗରର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କାର୍ଯ୍ୟଦକ୍ଷତାକୁ ସାରା ଦେଶରେ ପ୍ରଥମ ସ୍ଥାନ ମିଳିଛି । ଯାହାକୁ ନେଇ ପରିବେଶ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଏନଜିଟିଙ୍କ ତତ୍ତ୍ୱାବଧାନରେ ନ୍ୟାସନାଲ କ୍ଲିନ୍ ଏରିଆ ପ୍ରୋଗ୍ରାମ ଓ କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡଙ୍କ ମିଳିତ ଉଦ୍ୟମରେ ଦେଶରେ ବାୟୁ ପ୍ରଦୂଷଣ ପରୀକ୍ଷା କରାଯାଇଛି । ଶହେଟି ସହରର ପ୍ରଦୂଷମ ମାତ୍ରାକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ସେହି ତାଲିକାରେ ଯାଜପୁର କଳିଙ୍ଗନଗର ୮୨ ତମ ସ୍ଥାନରେ ରହିଛି । ଯାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ପାଣି ଯୋଗୁଁ ଗଣ୍ଡାନାଳ, ଡମଶାଳା, ଖରସ୍ରୋତା ପ୍ରଦୂଷିତ ହେଉଛି । ଏହାଫଳରେ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ତେଣୁ ମିଛ ବାହା ବାହା ନନେଇ ଶିଳ୍ପାଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପରିବେଶ ପ୍ରେମୀ ଦାବି କରିଛନ୍ତି । ସେପଟେ ପରିବେଶପ୍ରେମୀଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଅସ୍ୱୀକାର କରିଛନ୍ତି ।

କଳିଙ୍ଗନଗରର ସ୍ଥିତିକୁ ଦେଖିଲେ ସ୍ଥାନୀୟ ଲୋକଙ୍କ ସମସ୍ୟା ଜଳଜଳ ହୋଇ ଦେଖାଯାଉଛି । ବେଳକୁ ବେଳ ପ୍ରଦୂଷଣ ବଢ଼ୁଥିବା ଅନୁମାନ କରାଯାଉଛି । ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।