ପୁଣି ଅଧାରୁ ବନ୍ଦ ହେବ କି ଆଇପିଏଲ୍? ଟୁର୍ଣ୍ଣାମେଣ୍ଟ ମଝିରେ ଆସିଲା ଏଭଳି ଖବର…

249

କନକ ବ୍ୟୁରୋ: ଚଳିତ ବର୍ଷ ମେ ମାସରେ କରୋନା କାରଣରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଅଧାରୁ ଅଟକିଥିଲା । ଆଉ ଏବେ ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆରମ୍ଭ ହୋଇଛି । ହେଲେ ଏହାରି ଭିତରେ ଟୁର୍ଣ୍ଣାମେଣ୍ଟ ପୁଣି ଥରେ ବନ୍ଦ ହେବା ଭଳି ସ୍ଥିତି ଉପୁଜିଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ତେବେ ଏହାପରେ ଯଦି ଏହି ସଂକ୍ରମଣ ଅଧିକ ଖେଳାଳିଙ୍କୁ ବ୍ୟାପେ ତେବେ ପୁଣିଥରେ ଆଇପିଏଲକୁ ଅଧାରୁ ବନ୍ଦ କରିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଟି ନଟରାଜନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନଟରାଜନ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ତେବେ ନଟରାଜନଙ୍କ ସହ ଟିମର ଅନ୍ୟ ୬ ଜଣ ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି । ନଟରାଜନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳୁନଥିବା ବେଳେ ରିପୋର୍ଟ ପଜିଟିଭି ଆସିଛି । ଯେଉଁମାନେ ନଟରାଜନଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ବି ସଙ୍ଗରୋଧରେ ରଖାଯାଇଛି । ସଙ୍ଗରୋଧରେ ରହିଥିବା ଟିମର ୬ ଜଣ ସଦସ୍ୟ ହେଉଛନ୍ତି ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର, ଡାକ୍ତର ଅଞ୍ଜନା ଭାନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡେକର, ନେଟ ବୋଲର ପେରିଆସାମି ଗଣେଶନ ।

ତେବେ ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ଆଇପିଏଲ ମୁକାବିଲା ହେବାକୁ ଯାଉଛି । ଏହି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ ଓ ପୂର୍ବ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଯେଉଁ ଆରଟି-ପିସିଆର ଟେଷ୍ଟ ହୁଏ ସେଥିରେ ନଟରାଜନଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି । ତେଣୁ ଆଜି ମ୍ୟାଚ୍ ଖେଳାଯିବ ବୋଲି କହିଛି ବିସିସିଆଇ । ତେବେ ଏଠି ପ୍ରଶ୍ନ ଉଠୁଛି, ଖେଳାଳିଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ବାୟୋବବଲକୁ କିଭଳି ଭେଦ କଲା କରୋନା? ନା ବାୟୋବବଲକୁ ମାନୁନାହାନ୍ତି ଆଇପିଏଲ ଖେଳାଳି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖେଳାଳି ସଂକ୍ରମିତ ହେବାରୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ରୋକିବାକୁ ପଡିଥିଲା । ଏହି ସମୟରେ ହାଇଦ୍ରାବାଦର ଖେଳାଳି ରିଦ୍ଧିମାନ ଶାହ, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା, କେକେଆରର ସନ୍ଦୀପ ୱାରିୟର ଓ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଖେଳାଳିଙ୍କୁ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ରୋକିବାକୁ ପଡିଥିଲା ।