ରାବଣକୁ ନେଇ ରାଜନୀତି । ମୋଦିଙ୍କୁ ରାବଣ ସଜାଇ ପୋଷ୍ଟର ମାରିଲା କଂଗ୍ରେସ । ଏପଟେ ଦାମ କହିଲେ, ଶାସକ ଦଳରେ ଅଛନ୍ତି ମାଳ ମାଳ ରାବଣ

47

କନକ ବ୍ୟୁରୋ: ସାରା ଦେଶରେ ଦଶହରା ବେଶ୍ ଧୁମଧାମରେ ପାଳନ କରାଯାଉଛି । ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ରୂପେ ରାବଣ ପୋଡି ଉତ୍ସବ ପାଳନ ହେଉଛି । ବିଜୟାଦଶମୀରେ ଦିଲ୍ଲୀର ରାମଲୀଳା ମଇଦାନରେ ରାବଣ ଦେହରେ ନିଆଁ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାପ, ଅସତ୍ୟ ଅହଂକାରର ପ୍ରତୀକ ଭାବେ ରାବଣ ପୋଡି ହେଉଥିବା ବେଳେ ରାଜନୀତିରେ ରାବଣକୁ ନେଇ ଚ୍ଚର୍ଚା ବଢିଛି । ବାସ୍ତବରେ ରାଜନୀତିରେ ରାବଣ କିଏ? ମୋଦିଙ୍କୁ କଂଗ୍ରେସ ରାବଣ ଭାବେ ଚିତ୍ରଣ କରିଥିବା ବେଳେ ରାଜ୍ୟ ରାଜନୀତିରେ ଶାସକଦଳରେ ମାଳମାଳ ରାବଣ ଥିବା କହିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ତେବେ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୀତି ମଧ୍ୟ ଏହାକୁ ନେଇ ସରଗରମ ହେଉଛି । ନେତାମାନେ ପ୍ରତିଦ୍ୱନ୍ଦୀଙ୍କୁ ରାବଣ ସହ ତୁଳନା କରୁଛନ୍ତି ।

ଏରସମାରେ ରାବଣ ପୋଡ଼ି ଉତ୍ସବ ବନ୍ଦ ହୋଇଯିବାରୁ ଚିହିଁକି ଉଠିଛନ୍ତି ପାରାଦୀପ ବିଧାୟକ ଦାମ ରାଉତ । ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିକୁ ସେ ସମାଲୋଚନା କରିବା ସହ କହିଛନ୍ତି, ଶାସକ ଦଳରେ ମାଳ ମାଳ ରାବଣ ଅଛନ୍ତି । ଆଉ ନବୀନ ପଟ୍ଟନାୟକ ତାଙ୍କର ମୁଖ୍ୟ । ସେପଟେ ଦାମଙ୍କ ଏଭଳି ମନ୍ତବ୍ୟର କଡ଼ା ଦେଇଛି ବିଜେଡି । ମୁଖପାତ୍ର ସମୀର ଦାସ କହିଛନ୍ତି ଦଳରୁ ବହିଷ୍କୃତ ହେବା ପରେ ମନଗଢ଼ା କଥା କହୁଛନ୍ତି ଦାମ ବାବୁ । ୨୦୧୯ରେ ଜନସାଧାରଣ ପ୍ରମାଣ କରିବେ କିଏ ରାମ, କିଏ ରାବଣ?

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାବଣ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାମ ଭାବେ ଉପସ୍ଥାପନ କରି ଆମେଥି ନିର୍ବାଚନମଣ୍ଡଳୀରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ କଂଗ୍ରେସ ମଧ୍ୟ ଅନୁରୂପ କଟଆଉଟ୍ ଲଗାଇଥିବା ଜଣାପଡିଛି । ଯାହାକୁ ଦିଲ୍ଲୀ ପୋଲିସ ଜବତ କରିଛି । ସେହିପରି ବିହାରରେ ନୀତୀଶ କୁମାରଙ୍କ ରାବଣ ଓ ତେଜସ୍ୱୀ ଯାଦବଙ୍କୁ ରାମ ଭାବେ ଊପସ୍ଥାପନ କରି ପୋଷ୍ଟର ଲଗାଯାଇଛି ।