କରୋନା କଟକଣା ଭିତରେ କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର: ଚଳିତବର୍ଷ ବାତିଲ ହେବନି ଆଇପିଏଲ; ଅକ୍ଟୋବର ଓ ନଭେମ୍ବର ମାସରେ ୟୁଏଇର ଦୁବାଇରେ ଖେଳାଯିବ ଆଇପିଏଲ

ବିସିସିଆଇ-ୟୁଏଇ କ୍ରିକେଟ ବୋର୍ଡ ମଧ୍ୟରେ କଥାବାର୍ତ୍ତା ଶେଷ

316

କନକ ବ୍ୟୁରୋ: କରୋନା କଟକଣା ଭିତରେ କ୍ରିକେଟପ୍ରେମୀଙ୍କ ଆସିଛି ଖୁସି ଖବର । ଚଳିତବର୍ଷ ବାତିଲ ହେବ ନାହିଁ ଆଇପିଏଲ । ଭାରତରେ କରୋନା ସଂକ୍ରମଣ ବଢୁଥିବାରୁ ବିସିସିଆଇ ୨୦୧୪ ଭଳି ଏଥର ମଧ୍ୟ ବିଦେଶରେ ଆଇପିଏଲ ଆୟୋଜନ କରିବାକୁ ନିଷ୍ପତି ନେଇଛି । ୟୁଏଇର ଦୁବାଇରେ ଚଳିତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଆଇପିଏଲ ଖେଳାଯିବ । ଏନେଇ ବିସିସିଆଇ ୟୁଏଇ କ୍ରିକେଟ ବୋର୍ଡ ସହିତ ସମସ୍ତ କଥାବାର୍ତା ଶେଷ କରିଛି । କେବଳ ଆଇସିସି ଏବଂ ଭାରତ ସରକାରଙ୍କ ନିଷ୍ପତି ପରେ ଆଇପିଏଲ ଦୁବାଇରେ ଖେଳାଯିବ ବୋଲି ଘୋଷଣା କରାଯିବ । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବାର ଥିଲା କିନ୍ତୁ କରନା କଟକଣା ପାଇଁ ଏହା ସମ୍ଭବ ନୁହେଁ ବୋଲି ନିଶ୍ଚିତ ହୋଇଛି ।

ଆଇସିସି ଏନେଇ ଘୋଷଣା କରିବା ବାକି ରହିଛି । ଟି-୨୦ ବିଶ୍ୱକପ ବାତିଲ ହେବା ପରେ ବିସିସିଆଇ ଆଇପିଏଲ ସମ୍ପର୍କରେ ଘୋଷଣା କରିବ । ସେପଟେ ୟୁଏଇରେ ଆଇପିଏଲ ହେବା ନେଇ ନିଶ୍ଚିତ ହୋଇଥିବାରୁ ବିଭିନ୍ନ ଟିମର ମାଲିକମାନେ ଖେଳାଳିମାନଙ୍କ ପାଇଁ ହୋଟେଲ ବୁକିଂ ଏବଂ ବିମାନ ବୁକିଂ କରିବା ଆରମ୍ଭ କରିଦେଇଛନ୍ତି । ୟୁଏଇ ଯିବା ପୂର୍ବରୁ ପ୍ରତି ଟିମର ଖେଳାଳି ଭାରତରେ ଏକାଠି ହେବୋ ଏହାପରେ ସେମାନଙ୍କୁ ସଂଗରୋଧରେ ରଖା ଯିବ ଓ କରୋନା ଟେଷ୍ଟ କରାଯିବ । ଏହି ସବୁ ପ୍ରକ୍ରିୟା ଶେଷ ହେବାପରେ ଖେଳାଳିମାନେ ୟୁଏଇ ଗସ୍ତରେ ବାହାରିପାରିବେ ।