ରାଜ୍ୟରେ ଏବେ ସୁଦ୍ଧା ୧% ନିଅଣ୍ଟିଆ ବର୍ଷା ! ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା

251

କନକ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି। କିନ୍ତୁ ଗତ ବର୍ଷ ଜୁନ୍ ପହିଲାରୁ ଜୁଲାଇ ୧୮ ଯାଏ ହୋଇଥିବା ମୌସୁମୀ ବର୍ଷାଠାରୁ ଚଳିତ ବର୍ଷା ପ୍ରାୟ ୨୬% ଅଧିକ ହୋଇଥିବା ଜଣାପଡ଼ିଛି। ତେବେ ଗତ ବର୍ଷ ଜୁଲାଇ ଅପେକ୍ଷା ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲେ ବି ଚଳିତ ବର୍ଷ ଜୁନ୍ରେ ଅଧିକ ବର୍ଷା ହୋଇଯାଇଛି। କିନ୍ତୁ ଚଳିତ ବର୍ଷ ଜୁଲାଇରେ ହୋଇଥିବା ନିଅଣ୍ଟିଆ ବର୍ଷା ପୁଣି ଉପକୂଳ ଜିଲ୍ଲାଗୁଡ଼ିକରେ ଅଭାବୀ ବର୍ଷା କୃଷି କାର୍ଯ୍ୟ ପାଇଁ ଚିନ୍ତାର କାରଣ ସାଜିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି, ୧ ଜୁନ୍ରୁ ୧୮ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୪୦୦.୧ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ଭାବେ ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୪୦୫.୩ ମିମି ହେବା କଥା। ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧% ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜୁଲାଇରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଯାଇଥିବା ବେଳେ ଜୁନ୍ର ଅତିରିକ୍ତ ବର୍ଷା ରାଜ୍ୟର ହାରାହାରି ବର୍ଷାର ପରିମାଣକୁ ସ୍ବାଭାବିକ ରଖିଛି। ଜୁନ୍ ଓ ଜୁଲାଇ ଭିତରେ ରାଜ୍ୟର ୪ ଜିଲ୍ଲାରେ ଅତିରିକ୍ତ ବର୍ଷା ହୋଇଥିବା ଜଣାପଡ଼ିଛି। ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ମାଲକାନଗିରି, ନୂଆପଡ଼ା ଓ ବୌଦ୍ଧ। ଏଠାରେ ୨୦%ରୁ ଅଧିକ ବର୍ଷା ହୋଇଯାଇଛି।

୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଏହି ୨୦ ଜିଲ୍ଲା ମଧ୍ୟରୁ କିଛି କିଛି ଜିଲ୍ଲାରେ ୧୦% ନିଅଣ୍ଟିଆ ବର୍ଷା ହୋଇଥିବା ବି ରେକର୍ଡ କରାଯାଇଛି। କିନ୍ତୁ ଉପକୂଳର ୬ଟି ଜିଲ୍ଲାରେ ଯଥା ପୁରୀ, କଟକ, ଖୋର୍ଧା, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଯାଜପୁରରେ ୨୦ରୁ ୩୦% ନିଅଣ୍ଟିଆ ବର୍ଷା ହୋଇଯାଇଛି। ପୁରୀରେ ଚିନ୍ତାଜନକ ଭାବେ ଆଜି ପର୍ଯ୍ୟନ୍ତ ୪୪% ନିଅଣ୍ଟିଆ ବର୍ଷା ହୋଇଯାଇଛି। କିନ୍ତୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍ ୧ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ସମୟ ଅବଧି ମଧ୍ୟରେ ବର୍ଷାର ପରିମାଣ ଅଧିକ ହୋଇଛି। ଗତ ବର୍ଷ ଜୁନ୍ ୧ରୁ ଜୁଲାଇ ୧୮ ତାରିଖ ପର୍ୟ୍ୟନ୍ତ ୩୦୧.୬ ମିମି ବର୍ଷା ହୋଇଥିଲା ବେଳେ ଚଳିତ ବର୍ଷ ଏହି ସମୟ ଅବଧି ମଧ୍ୟରେ ୪୦୦.୧ ମିମି ବର୍ଷା ରେକର୍ଡ ହୋଇଛି। ଅର୍ଥାତ୍ ଗତ ବର୍ଷ ତୁଳନାରେ ୨୬% ଅଧିକ ବର୍ଷା ଚଳିତ ଜୁଲାଇ ୧୮ ଭିତରେ ହୋଇଯାଇଥିବା ଶ୍ରୀ ବିଶ୍ବାସ କହିଛନ୍ତି।

ଏବେ କିଛି ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଟ୍ରାଫ୍ ଏବେ ଉତ୍ତର ଆଡ଼କୁ ଗତି କରୁଛି। ଏହା ରାଜସ୍ଥାନରୁ ତ୍ରିପୁରା ଯାଏ ଲମ୍ବିଛି। ଏହା ଏବେ ପୂର୍ବାଞ୍ଚଳର ବିହାରରୁ ତ୍ରିପୁରା ଆଡ଼କୁ ଯାଉଥିବାରୁ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଲାଗିରହିବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ସହ ଓଡ଼ିଶାର ଅନ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏହି ବର୍ଷାର ପରିମାଣ କମ୍ ରହିବ।