ଗଞ୍ଜାମ ଜିଲ୍ଲାରେ ଜ୍ୱର ଔଷଧ, ପାରାସିଟାମଲ୍ ବିକ୍ରି ଉପରୁ ହଟିଲା କଟକଣା: ତୁରନ୍ତ ଖୋଲାଯିବ ଓପିଡି ଓ ଏମର୍ଜେନ୍ସି ବିଭାଗ ଖୋଲିବାକୁ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍

343

କନକ ବ୍ୟୁରୋ: କରୋନା ସଂକ୍ରମଣରେ ସନ୍ତୁଳି ହେଉଥିବା ଗଂଜାମବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଗଂଜାମ ଜିଲ୍ଲାର ବ୍ରହ୍ମପୁର ବଡ ମେଡିକାଲର ଖୋଲିବ ଓପିଡି । ଏହା ସହ ଜରୁରୀକାଳିନ ୱାର୍ଡ ମଧ୍ୟ ଖୋଲିବ । ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଜ୍ୱର ଭଲ କରୁଥିବା ପାରାସିଟାମଲ ଔଷଧ ବିକ୍ରି ଉପରୁ କଟକଣା ହଟାଇଛି ଜିଲ୍ଲା ପ୍ରଶାସନ । ଏଣିକି ଗଂଜାମରେ ସହଜରେ ଔଷଧ ଦୋକାନରେ ମିଳିବ ପାରାସିଟାମଲ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । ତେବେ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ନିଜ ପାଖରେ ରଖିବାକୁ ଔଷଧ ଦୋକାନୀଙ୍କୁ ପରାମର୍ଶ ଦିଆଯାଇଛି । ଔଷଧ କିଣୁଥିବା ଲୋକଙ୍କ ପାଖରେ ଯଦି କରୋନା ଲକ୍ଷଣ ଥାଏ, ତେବେ ତୁରନ୍ତ ଡ୍ରଗ୍ସ ଇନସ୍ପେକ୍ଟରଙ୍କୁ ଜଣାଇବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସେହିପରି ଗଂଜାମରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ରଣନୀତି ଆପଣେଇଛନ୍ତି ରାଜ୍ୟ ସରକାର । ବନ୍ଦ ରହିଥିବା ଏମକେସିଜର ଓପଡି, ଏମର୍ଜେନ୍ସି ୱାର୍ଡ ତୁରନ୍ତ ଖୋଲାଯିବ । ଓପିଡି ଓ ଜରୁରୀକାଳିନ ୱାର୍ଡରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । ଗଂଜାମରେ କରୋନା ମୁକାବିଲା ପାଇଁ ସରକାରଙ୍କ ନୂଆ ରଣକୌଶଳ ଅନୁସାରେ ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ ସହ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ବୈଠକରେ ପରେ ଏହି ନିଷ୍ପତି ନିଆଯାଇଛି ।

କୋଭିଡ ଜନିତ ମୃତ୍ୟୁକୁ ରୋକିବା, ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବା ନୂଆ ରଣକୌଶଳର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ଗଂଜାମରେ ପାରାସିଟାମଲ ଔଷଧ ବିକ୍ରି ଉପରେ କଟକଣା ସହ ଓପିଡି ବନ୍ଦ ନେଇ ପୂର୍ବରୁ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଗଂଜାମର ପ୍ରଭାବିତ ଲୋକମାନେ କନକ ନ୍ୟୁଜରେ ଏନେଇ ପ୍ରତିକ୍ରିୟା ରଖିଥିଲେ । ଲୋକଙ୍କ ସମସ୍ୟାକୁ ଆଖିରେ ରଖି ପ୍ରଶାସନ ଏବେ ଓପିଡି ଖୋଲିବା ସହ ପାରାସିଟାମଲ ଔଷଧ ଉପରରୁ କଟକଣା ହଟାଇ ଦେଇଛନ୍ତି ।