ଭାରତରେ ରହିଛି ଏଭଳି ଗାଁ । ଯେଉଁଠି ଦୈନିକ ୯୦ ମିନିଟ ପର୍ଯ୍ୟନ୍ତ କେହି ଛୁଅଁନ୍ତି ନାହିଁ ନିଜର ମୋବାଇଲ, ଜାଣନ୍ତୁ କାରଣ

197

କନକ ବ୍ୟୁରୋ : ଆପଣ ଥରେ ଭାବନ୍ତୁ ତ ଆଜିକାଲି ଲୋକଙ୍କ କଥା, କେବଳ ଶୋଇବା ସମୟକୁ ଛାଡିଦେଲେ ଅନ୍ୟ ସମସ୍ତ ସମୟରେ ଲୋକମାନେ ଡିଜିଟାଲ ସହ ଯୋଡି ହୋଇ ରହୁଛନ୍ତି । କିଏ ମୋବାଇଲ ଚଳାଉଛି ତ କିଏ କମ୍ପ୍ୟୁଟର ପୁଣି ଅନ୍ୟ କେହି ଟିଭି ଦେଖୁଛି । ହେଲେ ଭାରତରେ ଏଭଳି ଏକ ଗାଁ ରହିଛି ଯେଉଁଠି କି ପ୍ରତିଦିନ ୯୦ ମିନିଟ ପର୍ଯ୍ୟନ୍ତ ଲୋକମାନେ ଡିଜିଟାଲ ଦୁନିଆରୁ ବାହାରେ ରୁହନ୍ତି । ଏଠାରେ ଲୋକମାନଙ୍କୁ ଦୈନିକ ଏକ ନିର୍ଦ୍ଦିଷ୍ଟ ସମୟରେ ୯୦ ମିନିଟ ପର୍ଯ୍ୟନ୍ତ ମୋବାଇଲ ଛୁଇଁବାକୁ ବାରଣ କରାଯାଇଛି । ଏହି ୯୦ ମିନିଟ ମଧ୍ୟରେ କେହି ଘରେ କମ୍ପ୍ୟୁଟର କିମ୍ବା ଟିଭି ଚଲାଇବାକୁ ମଧ୍ୟ ବାରଣ କରାଯାଇଛି ।

ମହାରାଷ୍ଟ୍ରର ସାଂଗଲି ଜିଲ୍ଲା ସ୍ଥିତ ଏହି ଗାଁର ନାମ ବଡଗାଁଓ । ୩୨୦୦ ଲୋକ ରହୁଥିବା ଏହି ଗାଁରେ ଠିକ୍ ସନ୍ଧ୍ୟାବେଳେ ମନ୍ଦିରରୁ ଏକ ସାଇରନ ବାଜିଥାଏ । ଏହି ସାଇରନ ବାଜିବା କ୍ଷଣି ଗାଁର ଲୋକମାନେ ସେମାନଙ୍କ ମୋବାଇଲ, ଟିଭି ଓ କମ୍ପ୍ୟୁଟର ଭଳି ଡିଜିଟାଲ ସିଷ୍ଟମ ଠାରୁ ଦୂରେଇ ଯାଆନ୍ତି । ଏନେଇ ପ୍ରଥମେ ଗାଁର ସରପଂଚ ପ୍ରସ୍ତାବ ରଖିଥିଲେ ।

ମନ୍ଦିରର ସାଇରନ ବାଜିବା ମାତ୍ରେ ଲୋକମାନେ ୯୦ ମିନିଟ ପର୍ଯ୍ୟନ୍ତ ଇଣ୍ଟରନେଟ ଦୁନିଆରୁ ବାହାରି ଆସିଥାନ୍ତି । ଏହି ସମୟରେ ଗାଁର କିଛି ଲୋକ ବହି ପଢନ୍ତି ତ କିଛି ଲୋକ ପରସ୍ପର ସହ ଗପସପ କରନ୍ତି । ଏହା ଫଳରେ ଲୋକମାନେ ପରସ୍ପରର ସୁବିଧା ଅସୁବିଧା ମଧ୍ୟ ବୁଝିପାରନ୍ତି । ଠିକ ରାତି ୮.୩୦ ରେ ପୁଣି ମନ୍ଦିରରୁ ସାଇରନ ବାଜିଥାଏ । ବାଶ୍ ଏବେ ଗାଁ ଲୋକମାନେ ପୁଣି ନିଜ ନିଜ କାମରେ ଚାଲିଯାଆନ୍ତି । କିଏ ମୋବାଇଲ ଚଲାଏ ତ କିଏ ଘରେ ଟିଭି ଲଗେଇ ମନୋରଂଜନ କରିଥାଏ ।

ଏନେଇ ଗାଁର ସରପଞ୍ଚ ମୋଦିତ କହନ୍ତି କି ସ୍ୱାଧୀନତା ଦିବସରେ ସେ ଗାଁର ମହିଳାମାନଙ୍କୁ ଡାକି ଏକ ଗ୍ରାମସଭା କରିଥିଲେ । ଏଥିରେ ନିଷ୍ପତ୍ତି ନିଆଯାଇଥିଲା କି ଗାଁର ପ୍ରତିଟି ଲୋକ ଯେଭଳି ଭାବେ ଦୈନିକ ସର୍ବନିମ୍ନ ଡିଜିଟାଲ ଦୁନିଆରୁ ବାହାରେ ରହିବେ । ଏହି ପ୍ରସ୍ତାବ ଉପରେ ସହମତି ହୋଇଥିଲେ ସମସ୍ତ ଲୋକ । ବାଶ ସେବେ ଠାରୁ ଏହି ପରମ୍ପରା ଜାରି ରହିଛି ।