ନା ଥିଲେ ସେ ରାଜନେତା, ନା ଧନୀବ୍ୟକ୍ତି । ସହରର ସାଧାରଣ ବ୍ୟକ୍ତି ଥିଲେ କୃତାର୍ଥ ମଉସା, ମୃତ୍ୟୁ ପରେ ଝୁରୁଛନ୍ତି ସମସ୍ତେ…

96

କନକ ବ୍ୟୁରୋ: କୃତାର୍ଥ ବେହେରା । ତିରୋଧାନ- ୨୧, ୯, ୨୦୨୨ । ଅଶ୍ରୁ ଶ୍ରଦ୍ଧାଞ୍ଜଳୀର ବ୍ୟାନରରେ ମୃତ କୃତାର୍ଥଙ୍କ ଦେହାନ୍ତ ଦିନର ତାରିଖ ଉଲ୍ଲେଖ ରହିଛି । କିନ୍ତୁ ତାଙ୍କ ଆବିର୍ଭାବ କାହାକୁ ଅଜଣା । କାରଣ ଏ ସହର ତାଙ୍କୁ କୃତାର୍ଥ ବୋଲି ହିଁ ଜାଣିଥିଲା । ତାଙ୍କ ଆଗପଛ, ଅତୀତ ଭବିଷ୍ୟତର ଖବର କାହାକୁ ଜଣାନଥିଲା । ସମସ୍ତଙ୍କ ପାଇଁ ସିଏ କେବଳ ଥିଲେ ଜଣେ ହସିହସି ବେଦନ କରାଉଥିବା ମଣିଷ… ଖୋଲା ହୃଦୟର ବ୍ୟକ୍ତିତ୍ୱ । ସେଇଥିପାଇଁ ତ ଏ ଅଜଣା ସହରରେ ତାଙ୍କ ଶବ ପାଖରେ ଲାଗିଛି ଭିଡ ।

ଦେବଗଡ କୁଣ୍ଢେଇଗୋଳା କୁଶୁକୁଳିଆ ଗାଁର କୃତାର୍ଥ ବେହେରା । ବାପାମାଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲି କାମଧନ୍ଦା କରି ଚଳୁଥିଲେ । ପରେ ଦେବଗଡ ସହରରେ ରହି ଯିଏ ଯାହା ଦେଲା ସେଥିରେ ବଞ୍ଚିଯାଉଥିଲେ । ଲୋକଙ୍କ ସହ ମିଶିବା, ହସିବାରେ ତାଙ୍କ ସମୟ ବିତିଯାଉଥିଲା । ଜଣେ ଖୁସ୍ ମିଜାଜ ଓ ଅମାୟିକ ବ୍ୟକ୍ତିତ୍ୱ ଥିବା କୃତାର୍ଥ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ତାଙ୍କ ମର ଶରୀରକୁ ଦେବଗଡ ଅଣାଯାଇଥିଲା ଏବଂ ପ୍ରଧାନପାଟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ମାତ୍ର ସବୁଠାରୁ ବଡ କଥା ହେଉଛି, ଦୁନିଆରେ କେହି ନଥିବା କୃତାର୍ଥଙ୍କୁ ଶେଷ ଦର୍ଶନ କରିବାକୁ ଲୋକଙ୍କର ନାହିଁ ନଥିବା ଭିଡ ହୋଇଥିଲା । ସାଧାରଣ ଲୋକଙ୍କ ଠାରୁ ରାଜନେତାଙ୍କ ଯାଏଁ ସମସ୍ତେ ତାଙ୍କ ଅନ୍ତିମ ସଂସ୍କାର ସାମିଲ ହୋଇଥିଲେ ।

ଆଉ ଏଇଥିରୁ ହିଁ ଜଣା ପଡୁଛି ବାପାମାଆ ମଲାପରେ କେହି ନଥିବା କୃତାର୍ଥଙ୍କର ସମସ୍ତେ ଅଛନ୍ତି । ଅଜଣା ଅପରିଚିତ ଥିବା ସହର ବି ଆଜି ତାଙ୍କ ପାଇଁ ସ୍ତବ୍ଧ ହୋଇଛି , ତାଙ୍କୁ ଝୁରିହେଉଛି । ଦର୍ଶକବନ୍ଧୁ ! ଦୁନିଆରେ କୃତାର୍ଥଙ୍କ ପରି ଏମିତି ଅନେକ ଲୋକ ଅଛନ୍ତି ଯିଏ ସ୍ନେହ, ପ୍ରେମର ଡୋରିରେ ଏତେ ବାନ୍ଧି ଦିଅନ୍ତି ଯେ ସେମାନଙ୍କ ପରଲୋକ ପରେ ତାଙ୍କୁ ଖୋଜି ହୁଅନ୍ତି ସମସ୍ତେ…