ପାକିସ୍ତାନରେ ବ୍ୟାପୁଛି ହିଂସା: ଫସିରହିଛନ୍ତି ଭାରତୀୟ ତୀର୍ଥଯାତ୍ରୀ

176

କନକ ବ୍ୟୁରୋ : ଜଳୁଛି ପାକିସ୍ତାନ । ତେହେରୀକ-ଇ-ଲବାଇକ ପାକିସ୍ତାନ ଦଳର ମୁଖ୍ୟ ହୁସେନ ରିଜଭିଙ୍କୁ ପୁଲିସ ଅଟକ ରଖିବାକୁ ନେଇ ଏହାର କାର୍ଯ୍ୟକର୍ତ୍ତା ଆନ୍ଦୋଳନ କରିଥିଲେ । ଆଉ ପୁଲିସର କାର୍ୟ୍ୟାନୁଷ୍ଠାନରେ ଦୁଇ ଜଣ କର୍ମୀଙ୍କର ମୃତ୍ୟୁ ପରେ ହିଂସା ବଢ଼ିବାରେ ଲାଗିଛି । ଏସବୁ ଭିତରେ ଏବେ ଫସିଯାଇଛନ୍ତି ପାକିସ୍ତାନ ଯାଇଥିବା ଭାରତୀୟ ତୀର୍ଥଯାତ୍ରୀ । ବୈଶାଖୀ ଅବସରରେ ପାକିସ୍ତାନ ଯାଇଥିବା ଭକ୍ତଙ୍କ ଗୋଷ୍ଠୀ ପଞ୍ଜ ସାହିବ ଗୁରୁଦ୍ୱାରରେ ପହଂଚିପାରିନାହାନ୍ତି ।

ପାକିସ୍ତାନରେ ଚାଲିଥିବା ହିଂସା ଯୋଗୁଁ ଭକ୍ତ ଗୋଷ୍ଠୀ ଆଗକୁ ଯାଇପାରିନାହାନ୍ତି । ହସନାବାଦଲ ପଞ୍ଜ ସାହିବ ଗୁରୁଦ୍ୱାରାକୁ ଭକ୍ତମାନେ ଯାଇପାରୁନଥିବାରୁ ଏବେ ସେମାନେ ଲାହୋରର ଗୁରୁଦ୍ୱାର ଡେରା ସାହାବରେ ଅଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବେ ଭକ୍ତଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭକ୍ତମାନଙ୍କ ପାଇଁ ଉନ୍ନତମାନର ବ୍ୟବସ୍ଥା କରିବାକୁ ପାକିସ୍ତାନକୁ କୁହାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି ଯେ ଭକ୍ତମାନେ ପଞ୍ଜ ସାହିବ ଗୁରୁଦ୍ୱାର ଯାଇଥାନ୍ତେ, କିନ୍ତୁ ରାସ୍ତା ବନ୍ଦ ଯୋଗୁଁ ସେମାନେ ସେଠାକୁ ଯାଇପାରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉ ।

ସୂଚନା ଥାଉ କି ଯେ ପାକିସ୍ତାନର ତେହେରୀକ-ଇ-ଲବାଇକ କାର୍ଯ୍ୟକର୍ତ୍ତାଙ୍କ ହିଂସା ଯୋଗୁ ରାସ୍ତା ବନ୍ଦ ରହିଛି । ସମର୍ଥକମାନେ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କ ନେତାଙ୍କ ଗିରଫଦାରୀକୁ ବିରୋଧ କରୁଛନ୍ତି। ଏହି କାରଣରୁ ଅନେକ ରାସ୍ତା ବନ୍ଦ ହୋଇଛି। ସୂଚନା ଥାଉ କି ଭାରତୀୟ ଶିଖମାନଙ୍କର ଏହି ଭକ୍ତ ଗୋଷ୍ଠୀ ନାନକାନା ସାହିବ ସମେତ ପାକିସ୍ତାନର ବିଭିନ୍ନ ଶିଖ୍ ତୀର୍ଥସ୍ଥାନ ପରିଦର୍ଶନ କରିବେ। ପ୍ରାୟ ୯୦୦ ଜଣ ଭକ୍ତ ସୋମବାର ଦିନ ପାକିସ୍ତାନ ଯାଇଥିଲେ। ଏହି ଭକ୍ତମାନେ ୨୨ ଏପ୍ରିଲରେ ଭାରତ ଫେରିବେ।