ଦେଶର ସାମରିକ ଶକ୍ତିର ବିକାଶ କରିବା ଲାଗି ନିଜସ୍ୱ ଜ୍ଞାନକୈାଶଳରେ ଭାରତ ତିଆରି କରିବ ଯୁଦ୍ଧ ବିମାନ ଓ ହେଲିକପ୍ଟର : ଏ ନେଇ ଖୁବଶୀଘ୍ର ବସିବ କେନ୍ଦ୍ର କ୍ୟାବିନେଟ ବୈଠକ !

34

କନକ ବ୍ୟୁରୋ : ଦେଶର ସୁରକ୍ଷା ଲାଗି କେନ୍ଦ୍ର ସରକାର ଅନେକ ଯୋଜନା କରୁଥିବାର ନଜର ରହିଛି । ମୋଦି ସରକାର ଶାସନ କାଳ ମଧ୍ୟରେ ଅନେକ ଦେଶ ଗସ୍ତ କରିବା ସହ ଭାରତର କିପରି ଭାବରେ ସାମରିକ ଶକ୍ତି କ୍ଷେତ୍ରରେ ଅନେକ ଉନ୍ନତି ହେବ ସେନେଇ ଅନେକ ଯୋଜନା ହାତକୁ ମଧ୍ୟ ନେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଆଉ ଏକ ନୂତମ ଯୋଜନା ହେବାକୁ ଯାଉଛି । ଏକ ଅନ୍ତର୍ଜାତୀୟ ରିପୋର୍ଟରେ ପ୍ରକାଶ କରାଯାଇଥିଲା ଯେ, ସାରା ବିଶ୍ୱରେ ଭାରତ ୪ର୍ଥ ବିଶାଳ ସାମରିକ ଶକ୍ତିର ଦେଶ। ତେବେ ଭାରତରେ ଏକ ବିଶାଳ ପ୍ରତିରକ୍ଷା ଉତ୍ପାଦନକାରୀ ଶିଳ୍ପ ସରକାର କରିବା ଲାଗି ଯୋଜନା କରୁଛନ୍ତିା  ଏଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ଯୁଦ୍ଧ ବିମାନଠାରୁ ଆରମ୍ଭ କରି ହେଲିକପ୍ଟର ଓ ଯୁଦ୍ଧାସ୍ତ୍ର ଆଦି ନିର୍ମାଣ କରାଯିବ। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ୬ଟି ଶ୍ରେଷ୍ଠ ଯୁଦ୍ଧାସ୍ତ୍ର ପେଣ୍ଠସ୍ଥଳୀରେ ପରିଣତ ହେବ । ଅଧିକାରୀଙ୍କ କହିବାନୁସାରେ ଏହି ପ୍ରତିରକ୍ଷା ଉତ୍ପାଦନ ନୀତି (ଡିପିପି-୨୦୧୮)କୁ ଏବେ ଚୂଡ଼ାନ୍ତ ସ୍ପର୍ଶ ଦିଆଯିବା ନେଇ ପ୍ରକ୍ରିୟା ଚାଲିଛି।

ଫଳରେ ଖୁବଶୀଘ୍ର ଏହାକୁ କ୍ୟାବିନେଟ୍ ମଞ୍ଜୁରି ପାଇଁ ଆଗତ କରାଯିବ। ଡିପିପି-୨୦୧୮ ଅନୁସାରେ ଭାରତରେ ଏକ ଷ୍ଟେଟ୍-ଅଫ୍-ଦି-ଆର୍ଟ ସାମରିକ ବିନିର୍ମାଣ ପ୍ଲାଟଫର୍ମ ସ୍ଥାପନ କରିବା ଲାଗି ପର୍ଯ୍ୟାପ୍ତ ନିବେଶ କରାଯିବ। ଫଳରେ ସ୍ୱଦେଶୀ ଜ୍ଞାନକୌଶଳରେ ଏଠାରୁ ଯୁଦ୍ଧ ବିମାନ, ଆକ୍ରମଣକାରୀ ହେଲିକପ୍ଟର, ବିଭିନ୍ନ ଯୁଦ୍ଧାସ୍ତ୍ର ଉତ୍ପାଦନ କରାଯିବ। ୨୦୨୫ ସୁଦ୍ଧା ସାମରିକ ସାମଗ୍ରୀ ଓ ସେବା କ୍ଷେତ୍ରରେ ସରକାର ୧,୭୦,୦୦୦ କୋଟି ଟଙ୍କାର କାରବାର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଗତ ୬ ଦଶନ୍ଧି ଧରି ଭାରତ ଯେଉଁସବୁ ସାମଗ୍ରୀ ଆମଦାନି କରୁଛି, ତାହା ସବୁ ଏହି ପ୍ରସ୍ତାବିତ ପେଣ୍ଠସ୍ଥଳୀରେ ନିର୍ମାଣ କରାଯିବ। ସ୍ୱେଡନର ଏକ ଥିଙ୍କଟ୍ୟାଙ୍କ କମ୍ପାନୀ କହିଛି ଯେ ମିଲିଟାରି ହାର୍ଡେଓ୍ଵର ଆମଦାନି କରିବାରେ ଭାରତ ବିଶ୍ୱର ସର୍ବବୃହତ୍ ରାଷ୍ଟ୍ର ହୋଇଥିବା ବେଳେ ୨୦୦୪-୦୮ ତୁଳନାରେ ବିଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରମୁଖ ଯୁଦ୍ଧାସ୍ତ୍ର ଆମଦାନି ୧୧୧ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସରକାରୀ ତଥ୍ୟରୁ ଜଣାଯାଇଛି ଯେ ଗତ ୪ ବର୍ଷ ମଧ୍ୟରେ ଭାରତ ୨.୪୦ ଲକ୍ଷ କୋଟି ଟଙ୍କାର ୧୮୭ଟି ଚୁକ୍ତି କରିଛି। ତେବେ ଏହା କରାଗଲେ ଶତ୍ରୁ ରାଷ୍ଟ୍ରଙ୍କଠାରୁ ଅତି ସହଜରେ ଭାରତ ବିଜୟ ହୋଇପାରିବ । ବର୍ତ୍ତମାନ ସମୟରେ ଭାରତ ଅନେକ ଦେଶରୁ ନିଜର ସାମରିକ ଶକ୍ତି ବିକାଶ କରିବା ଲାଗି ଯୁଦ୍ଧାସ୍ତ୍ର କିଣୁଛି । ତେଣୁ ଏହା କରାଗଲେ ନିଶ୍ଚିତ ରୂପରେ ସାମରିକ ଶକ୍ତିରଲ ବିକାଶ ହୋଇପାରିବ ।