୧୫୦ କୋଟି କରୋନା ଟିକା କିଣିବାକୁ ଭାରତ ଦେଲା ଆଡଭାନ୍ସ । ଟିକା କିଣିବାରେ ୩ ନମ୍ବର ସ୍ଥାନରେ ଭାରତ

1,193

କନକ ବ୍ୟୁରୋ : ଭାରତ ସମେତ ପୃଥିବୀର ଅନେକ ଦେଶରେ କରେନା ଟିକାର ପରିକ୍ଷଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ମାଡୋର୍ନା ଓ ଫାଇଜର କମ୍ପାନୀ ଟିକାର ଅନ୍ତିମ ପରିକ୍ଷଣ ସରିଥିବା ଦାବି ବି କଲେଣି । ଏହା ସହ ଏହି ଦୁଇ କମ୍ପାନୀ ଦାବି କରିଛି କି ସେମାନଙ୍କ ଟିକା ୯୫ ପ୍ରତିଶତ ସଫଳ ହେଉଛି । ଅନ୍ୟ କିଛି କମ୍ପାନୀ ଟ୍ରାଏଲରେ ସଫଳତା ପାଇଥିବା ଦର୍ଶାଇ ବଡ ପରିମାଣର ଟିକା ଉତ୍ପାଦନ ଆରମ୍ଭ କରିଦେଇଛନ୍ତି । ଏହାକୁ ନେଇ ବଡ ବଡ ଦେଶମାନେ ଟିକା କିଣିବା ଓ ଦର ସ୍ଥିର କରିବାକୁ ଆଗଭର ହୋଇଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଭାରତ ସରକାର ୧୫୦ କୋଟିରୁ ଅଧିକ ଡୋଜ କିଣିବାକୁ ଆଡଭାନ୍ସ ବୁକିଂ କରିଥିବା ସୂଚନା ମିଳିଛି ।
ଏକ ଜର୍ନାଲର ରିପୋର୍ଟ ମୁତାବକ କୋଭିଡ୍-୧୯ ଭ୍ୟାକସିନ୍ କିଣିବା ପାଇଁ ଯେଉଁସବୁ ଦେଶମାନେ ଆଗୁଆ ବୁକିଂ କରିଛନ୍ତି ସେମାନଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆମେରିକା ଓ ଦ୍ୱିତୀୟ ସ୍ଥାନରେ ୟୁରୋପ ୟୁନିୟନ ରହିଛି । ଏହି ରିପୋର୍ଟ ଡୁକେ ୟୁନିଭରସିଟିର ଲଞ୍ଚ୍ ଓ ସ୍କେଲ ସ୍ପିଡମିଟର ଇନସିଏଟିବ୍ ଉପରେ ଆଧାରିତ । ଡୁକେ ୟୁନିଭରସିଟି ହେଉଛି ବିଶ୍ୱର ଗରୀବ ରାଷ୍ଟ୍ର ମାନଙ୍କ ପାଇଁ କମ୍ ମୂଲ୍ୟରେ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ତାହା ଉପରେ କାମ କରୁଛି । ଏହି ଡୁକେ ୟୁନିଭରସିଟି ସୂଚନା ଦେଇଛି କି କୋଭିଡ-୧୯ ଟିକାର ଡୋଜ ପାଇଁ ଆଡଭାନ୍ସ ଦେଇଥିବା ଦେଶ ମାନଙ୍କ ତାଲିକାରେ ଭାରତର ସ୍ଥାନ ତୃତୀୟ ।
ଭାରତ ୧୫୦ କୋଟି ରୁ ଅଧିକ ଡୋଜ୍ କିଣିବାକୁ ଆଡଭାନ୍ସ କରିଥିବା ବେଳେ ୟୁରୋପିୟ ୟୁନିୟନ ୧୨୦ କୋଟି ଓ ଆମେରିକା ୧୦୦ କୋଟି ଡୋଜ୍ କିଣିବାକୁ ଆଡଭାନ୍ସ ଦେଇଛି । ହେଲେ ଆଗାମୀ ସମୟରେ ଟିକା କିଣିବାକୁ ଯେଉଁ ଚୁକ୍ତି ହୋଇଛି ସେହି ଚୁକ୍ତି ମୁତାବକ ଆମେରିକା ୧୫୦ କୋଟି ଓ ୟୁରୋପିୟ ୟୁନିୟନ ୭୬ କୋଟିରୁ ଅଧିକ ଡୋଜ କିଣିବାକୁ ଚୁକ୍ତିରେ ସ୍ୱାକ୍ଷର କରିଛି । ଏହି କାରଣରୁ ଟିକା କିଣିବା ପାଇଁ ହୋଇଥିବା ଚୁକ୍ତିରେ ଆମେରିକା ପ୍ରଥମ ଓ ୟୁରୋପିୟ ୟୁନିୟନ ଦ୍ୱିତୀୟ ସ୍ଥାନରେ ରହିଛି । ହେଲେ ଭାରତକୁ ଟିକା ଆସିଲେ କାହାକୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ସେନେଇ କେନ୍ଦ୍ରସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏନେଇ ଏକ ବିଶେଷଜ୍ଞ ସମୁହଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ସରକାର ।