୧୫ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଲା ଭାରତ । ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୬ ରନରେ ମାତ୍ ଦେଇ ବିଜୟଧାରା ଜାରି ରଖିଲା ବିରାଟ ବାହିନୀ ।

802

କନକ ବ୍ୟୁରୋ : ଆଇସିସି ୨୦୧୯ କ୍ରିକେଟ୍ ବିଶ୍ୱକପରେ ବିଜୟ ଧାରା ଜାରି ରଖିଛି ବିରାଟ ବାହିନୀ । ୨୦୧୫ ବିଶ୍ୱକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ରବିବାର ଲଂଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ଦମଦାର ଶତକ ଏବଂ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ୩୫୩ ରନର ଟାର୍ଗେଟ୍ ଦେଇଥିବା ଭାରତ । ଜବାବରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍  ହରାଇ ୩୧୬ ରନ୍ କରିବାକୁ ସମର୍ଥ ହୋଇଛି ।

ରବିବାର ଅପରାହ୍ନକୁ ଅପେକ୍ଷା କରିଥିଲେ ଦେଶର କୋଟି କୋଟି କ୍ରିକେଟ୍ ଫ୍ୟାନ୍ । ସମସ୍ତଙ୍କ ଦୃଷ୍ଟି ଅଟକି ଥିଲା ଟେଲିଭିଜନ ସେଟ୍ ଉପରେ । କାରଣ ବିଶ୍ୱକପ୍ ମହାସମରରେ ଅଷ୍ଟେଲିଆ ସହ ଭାରତର ମହାମୁକାବିଲା । ଟସ୍ ଉପରେ ଥିଲା କ୍ରିକେଟ୍ ପ୍ରେମୀଙ୍କ ନଜର । କ୍ୟାପଟେନ୍ କୋହଲୀ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେବା ପରେ ଏହି ମହାମୁକାବିଲାର ପ୍ରଥମ ସୋପାନ ଚଢ଼ିଥିଲା ଟିମ୍ ଇଣ୍ଡିଆ । କାରଣ ଓଭାଲର ଧିମା ପିଚରେ ଦ୍ୱିତୀୟ ବ୍ୟାଟିଂ ପାଇଁ ସବୁବେଳେ କଠିନ ହୋଇଥାଏ ।

ଟିମ୍ ଇଣ୍ଡିଆର ଦୁଇ ଓପନର୍ ପଡ଼ିଆକୁ ପ୍ରବେଶ କରିଥିଲେ । ରୋହିତ ଶର୍ମା ଷ୍ଟ୍ରାଇକ୍ କରିବା ମାତ୍ରେ ଭାରତୀୟ ଦର୍ଶକଙ୍କ ହୃତସ୍ପନ୍ଦନ ବଢ଼ିବା ଆରମ୍ଭ କଲା । ଧିମା ପିଚ୍ ନେଇ ଯେଉଁ ଆକଳନ ହେଉଥିଲା, ପ୍ରଥମ ଓଭରରେ ହିଁ ଏହାର ଝଲକ ଦେଖିବାକୁ ମିଳିଥିଲା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ । ପ୍ରଥମ ପାୱର ପ୍ଲେ’ରେ ମାତ୍ର ୪୧ ରନ୍ କରିବାରେ ସମର୍ଥ ହୋଇଥିଲା ଟିମ୍ ଇଣ୍ଡିଆ । ତେବେ ଦ୍ୱିତୀୟ ପାୱାର ପ୍ଲେ’ରେ ଦୁଇ ବ୍ୟାଟ୍ସମ୍ୟାନ୍ ସେମାନଙ୍କ ପାୱାର ବଢ଼ାଇଥିଲେ । ୧୧.୩ ଓଭରରେ ୫୦ ରନ୍ କରିଥିବା ବେଳେ ୧୯ ଓଭରରେ ୧୦୦ ଛୁଇଁଥିଲା ଭାରତର ସ୍କୋର । ଦୁଇ ଓପନର୍ ବେଶ୍ ସତର୍କତାର ସହ ସ୍କୋର ବୋର୍ଡକୁ ଆଗକୁ ବଢ଼ାଉଥିଲେ । ପ୍ରଥମ ଝଟକା ଥିଲା ରୋହିତ ଶର୍ମାଙ୍କ ୱିକେଟ୍ । ଗୋଟିଏ ଛକା ଓ ୩ଟି ଚୌକା ସହ ୭୦ ବଲରେ ୫୭ ରନ୍ କରିଥିବା ବେଳେ କୋଲଟର୍ ନିଲଙ୍କ ବଲରେ ୱିକେଟ୍ କିପର ହାତକୁ କ୍ୟାଚ୍ ଟେକି ଦେଇଥିଲେ ରୋହିତ ।

ସେପଟେ କିନ୍ତୁ କୋହଲୀଙ୍କ ସହ ସ୍କୋରକୁ ବଢ଼ାଉଥିଲେ ଶିଖର ଧାୱନ । ମାତ୍ର ୨୬ ଓଭର ୪ଟି ବଲରେ ୧ ୱିକେଟ୍ ହରାଇ ୧୫୦ ରନ୍ କରିବାକୁ ସମର୍ଥ ହୋଇଥିଲା ଟିମ୍ ଇଣ୍ଡିଆ । ଗୋଟିଏ ପଟେ କ୍ୟାପଟେନ୍ କୋହଲି କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ପ୍ରଥମ ମ୍ୟାଚରେ ବିଫଳତାର ଭରଣା କରୁଥିଲେ ଭାରତୀୟ ଟିମର ଗବର । ମାତ୍ର ୯୫ ବଲରେ ପଡ଼ିଆର ଚାରିପଟେ ୧୩ଟି ଚୌକା ମାରି ଦମଦାର ଶତକ ହାସଲ କରିଥିଲେ ଶିଖର ଧାୱନ ।
ତେବେ ୧୦୯ ବଲରେ ୧୧୭ ରନ୍ କରି ଷ୍ଟାର୍କଙ୍କ ବଲରେ ପ୍ୟାଭିଲିୟନକୁ ଫେରିଥିଲେ ଧାୱନ । ୩୭ ତମ ଓଭରରେ ଧାୱନ ଆଉଟ ହେବା ପରେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଭଲ ରନ୍ ରେଟ୍ ଓ ହାତରେ ୱିକେଟ୍ ଥିବାରୁ ଉଭୟ କୋହଲି ଓ ପାଣ୍ଡ୍ୟା ଆକ୍ରମକ ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରଥମରୁ ରନର ବର୍ଷା କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ ହାର୍ଦ୍ଦିକ । ମାତ୍ର ୨୭ ବଲରେ ୪ଟି ଚୌକା ଓ ୩ଟି ଛକା ମାରି ୪୮ ରନ୍ କରିଥିବା ବେଳେ କୁମିନସଙ୍କ ବଲରେ ଆଉଟ୍ ହୋଇଥିଲେ । ସେତେବେଳେ ୪୬ ଓଭରରେ ୩୦୧ କରିଥିଲା ଭାରତ ।

ପାଣ୍ଡ୍ୟାଙ୍କ ପରେ ପଡ଼ିଥିଲା ଧୋନୀଙ୍କ ପାଳି । ଅଳ୍ପ ସମୟ ପାଇଁ କ୍ରିଜରେ ରହିଥିବା ବେଳେ ସେ ମଧ୍ୟ ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ଧୁମ ପିଟିଥିଲେ । ୧୪ଟି ବଲ ଖେଳି ଗୋଟିଏ ଦର୍ଶନୀୟ ଛକା ଓ ୩ଟି ଚୌକା ବଳରେ ସ୍କୋର ବୋର୍ଡରେ ୨୭ ରନ୍ ଯୋଡିଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ । ଅନ୍ୟପଟେ କୋହଲୀ ୭୭ ବଲରେ ୮୨ ରନ୍ କରି ଷ୍ଟୋଏନିସଙ୍କ ବଲରେ ଆଉଟ୍ ହୋଇଥିଲେ । ସେଥିରେ ଥିଲା ୨ଟି ଛକା ଓ ୪ଟି ଚୌକା । କେ.ଏଲ୍ ରାହୁଲ ମାତ୍ର ୩ଟି ବଲ୍ ଖେଳି ୧୧ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ । ଟିମ୍ ଇଣ୍ଡିଆର ଦଳୀୟ ସ୍କୋର ହୋଇଥିଲା ୫ ୱିକେଟରେ ୩୫୨ ରନ୍ । ଆଉ ଅଷ୍ଟ୍ରେଲିଆ ଆଗରେ ୩୫୩ ରନର ଟାର୍ଗେଟ ଦେଇଥିଲା ଭାରତ ।

ପ୍ରଥମରୁ ହିଁ ସ୍ପଷ୍ଟ ହୋଇ ଯାଇଥିଲା ଯେ କଙ୍ଗାରୁ ଦଳ ଆଗରେ ରନର ପାହଡ଼ ଠିଆ କରିବାକୁ ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆଉ ସବୁକିଛି ଚାଲିଥିଲା ଯୋଜନା ମୁତାବକ । କାରଣ ମୁକାବିଲାର ମଇଦାନରେ ଆଉ କେହି ନୁହେଁ, ରହିଥିଲା ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଦୁଇ ଥର ବିଶ୍ୱ ଚାମ୍ପିଅନ୍ ଭାରତ ସହ ବଡ଼ ଟକ୍କର ଦେଖିବାକୁ ଖଚାଖଚ ଭରି ରହିଥିଲା ଓଭାଲ୍ ଗ୍ରାଉଣ୍ଡ । ଟିମ୍ ଇଣ୍ଡିଆକୁ ସମର୍ଥନ ଜଣାଇବା ପାଇଁ ନୀଳ ରଙ୍ଗରେ ରଙ୍ଗୀନ ହୋଇ ଯାଇଥିଲା ପୂରା ଷ୍ଟାଡିୟମ ।