ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଉ ଜଣେ ଯବାନ୍ । ପରିବାର କଳହରୁ ଆତ୍ମହତ୍ୟା ସନ୍ଦେହ, ତଦନ୍ତ କରୁଛି ପୋଲିସ

ଜଣେ କାର୍ଯ୍ୟରତ ଯବାନ୍ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।

1,192
ଯୁଯୁମୁରାରେ ଜଣେ ସିଆରପିଏଫ୍ ଯବାନ୍ ନିଜକୁ ଗୁଳିକରି ଆତ୍ମହତ୍ୟା କରିବା ଘଟଣାକୁ ୫ ଦିନ ନହେଉଣୁ ରବିବାର ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଛାତ ଉପରେ ପୁଣି ଜଣେ କାର୍ଯ୍ୟରତ ଯବାନ୍ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ୍ ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଶରଧାପାଲି ଅଞ୍ଚଳର ଫକୀର ସାହୁ ଓ ଦିପ୍ତୀ ସାହୁଙ୍କ ଏକମାତ୍ର ପୁଅ ଅମିତ ସାହୁ(୩୭) ବୋଲି ଜଣାପଡ଼ିଛି। ପୂର୍ବ ଘଟଣା ପରି ଅନୁରୂପ ଙ୍ଗରେ ଅମିତ ନିଜ ଗଳା ପାର୍ଶ୍ଵରୁ ଇନସାସ୍ ରାଇଫଲକୁ ବ୍ରଷ୍ଟ ମୋଡ଼ରେ ରଖି ଗୁଳି ଫୁଟାଇଥିଲେ। ଫଳରେ ଏକାବେଳକେ ୩ଟି ଗୁଳି ଗଳାପଟୁ ଯାଇ ତାଙ୍କ ମୁଣ୍ଡ ପଟେ ବାହାରିଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଅମିତ ଓଏସଏପିର ପ୍ରଥମ ଏସଏସ୍ ବାଟାଲିୟନରେ କାର୍ଯ୍ୟରତ ଥିବା ବେଳେ ଗତ ୫ ମାସ ହେଲା ସେ କିସିଣ୍ଡା ଥାନାରେ କାର୍ଯ୍ୟରତ ଥିଲେ। ଏହି ଘଟଣା ପରେ ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମାଜିଷ୍ଟ୍ରେଟ ସହକାରୀ ତହସିଲଦାର ଇଜିୟସ୍ ବିନୟ କୁଲ୍ଲ ଓ ଓଏସଏପି ଡେପୁଟି କମାଣ୍ଡର ବିଷ୍ଣୁପଦ ଦାସଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି ହୋଇ ପୁଲିସ୍ ଶବ ଜବତ କରିଥିବା ବେଳେ ବ୍ୟବେଚ୍ଛଦ ପାଇଁ ବୁର୍ଲା ମେଡିକାଲକୁ ପଠାଇଛି।
ସେପଟେ, ସାଇଣ୍ଟିଫିକ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଅମିତଙ୍କ ରକ୍ତନମୁନା ଓ ଫୁଟିଥିବା ଗୁଳିର ଖୋକା ଜବତ କରି ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆରଏଫଏସଏଲକୁ ପଠାଇଥିବା ଜଣାପଡ଼ିଛି। ଏନେଇ କିସିଣ୍ଡା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ପୁଲିସ୍ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ କରୁଥିବା କହିଥିଲେ। ତେବେ ପାରିବାରିକ କଳହରୁ ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ୍ ଆଶଙ୍କା କରୁଥିବା ସେ କହିଛନ୍ତି। ସେପଟେ, ୧୦ ମାସ ତଳେ ଦେବଗଡ଼ ଜିଲ୍ଲା କନସର ଅଞ୍ଚଳରେ ପୋଷ୍ଟିଂ ସମୟରେ ମଧ୍ୟ ଅମିତ ଆତ୍ମହତ୍ୟା କରିବାର ପ୍ରୟାସ କରି ବିଫଳ ହୋଇଥିବା ସୂଚନାରୁ ଜଣାପଡିଛି