ଟି-୨୦ ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ : ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇଲା ବିରାଟ ବାହିନୀ

୮୧ ବଲ ବାକି ଥାଇ ୮ ୱିକେଟରେ ହାସଲ କଲା ବିଜୟ ; ବଢ଼ିଲା ଟିମ୍ ଇଣ୍ଡିଆର ରନ୍ ରେଟ୍

175

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି । ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଟସ୍ ଜିତିବା ପରେ ସ୍କଟଲ୍ୟାଣ୍ଡକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା ବିରାଟ ବାହିନୀ । ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡ ମାତ୍ର ୮୫ ରନ୍ କରିବାକୁ ସମର୍ଥ ହୋଇଥିଲା । ୧୭ ଓଭର ୪ ଟି ବଲ୍ ଖେଳି ସମସ୍ତ ୱିକେଟ ହରାଇଥିଲା ସ୍କଟଲ୍ୟାଣ୍ଡ । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ୩ଟି ଲେଖାଁଏ ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରାଙ୍କୁୁ ୨ଟି ୱିକେଟ ମିଳିଥିଲା ।

ସ୍କଟଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମନା କରିପାରିନଥିଲେ । ମାତ୍ର ୮୬ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ବିରାଟ ବାହିନୀ । ତେବେ ପ୍ରଥମରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ଭାରତର ଦୁଇ ଓପନର୍ । ରନ୍ ରେଟ୍ ଦୃଷ୍ଟିକୋଣରୁ ପଛରେ ପଡ଼ିଥିବା ଭାରତର ଲକ୍ଷ୍ୟ ଥିଲା ରନ୍ ରେଟରେ ସୁଧାର ଆଣିବା । ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ ।

କେଏଲ ରାହୁଲ ମାତ୍ର ୧୯ଟି ବଲରେ ୫୦ ରନ୍ କରିଥିବା ବେଳେ ରୋହିତ ଶର୍ମା ୧୬ଟି ବଲ୍ ଖେଳି କରିଥିଲେ ୩୦ ରନ୍ । ମାତ୍ର ୬ ଓଭର ୩ଟି ବଲ୍ ଖେଳି ବିଜୟ ହାସଲ କରିଥିଲା ଭାରତ । ଏହି ବିଜୟ, ଭାରତର ରନ୍ ରେଟକୁ ବଢ଼ାଇ ଦେଇଛି । ତେବେ ସେମିଫାଇନାଲ ଖେଳି ପାରିବ କି ନାହିଁ, ଏହା ନିର୍ଭର କରୁଛି ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଉପରେ । ଯଦି ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବ, ତେବେ ଭାରତ ପାଇଁ ସୁଯୋଗ ସୃଷ୍ଟି ହେବ ।

ଭାରତ ବିପକ୍ଷରେ ଦ୍ବିତୀୟ ସର୍ବନିମ୍ନ

ଅଷ୍ଟମ ଥର ପାଇଁ ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୌଣସି ଦଳ ୧୦୦ ରନ୍‌ ଭିତରେ ଆଲ୍ଆଉଟ୍ ହେଲା। ଯାହାକି ୨୦୧୪ ସଂସ୍କରଣ ସହିତ ସମକକ୍ଷ ହୋଇଛି । ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଭାରତ ବିପକ୍ଷରେ ତୃତୀୟ ଥର ଏକ ଦଳ ୧୦୦ ରନ୍‌ ତଳେ ସୀମିତ ରହିଲା । ଭାରତ ୨୦୧୨ରେ କଲମ୍ବୋରେ ଇଂଲଣ୍ଡକୁ ୮୦ ଏବଂ ୨୦୧୪ରେ ମୀରପୁରରେ ଅଷ୍ଟ୍ରେଲିଆକୁ ୮୬ ରନ୍‌ରେ ଅଲ୍‌ଆଉଟ୍ କରିଥିଲା । ସେହିଭଳି ଭାରତ ମଧ୍ୟ ୮୧ ବଲ୍ ବଳକା ଥାଇ ଜିତିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ । ୨୦୧୬ରେ ଭାରତ ମୀରପୁରରେ ୟୁଏଇକୁ ୫୯ ବଲ୍ ପୂର୍ବରୁ ଏବଂ ସେହିବର୍ଷ ହରାରେଠାରେ ଜିମ୍ବାୱେକୁ ୪୧ ବଲ୍‌ ପୂର୍ବରୁ ହରାଇଥିଲା । ବିଶ୍ବକପ୍‌ରେ କିନ୍ତୁ ୮୧ ବଲ୍ ବଳକା ବିଜୟ ତୃତୀୟ ସ୍ଥାନରେ ରହିଛି। ୨୦୧୪ରେ ଚଟ୍ଟଗାଁରେ ନେଦରଲାଣ୍ଡ୍ସକୁ ୯୦ ବଲ୍ ପୂର୍ବରୁ ଶ୍ରୀଲଙ୍କା ଏବଂ ଚଳିତ ସଂସ୍କରଣରେ ବାଂଲାଦେଶକୁ ୮୨ ବଲ୍‌ ପୂର୍ବରୁ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା ।

ଜନ୍ମଦିନରେ ଟସ୍ ଜିତିଲେ କୋହଲି
ବିରାଟ କୋହଲିଙ୍କ ଟସ୍ ଭାଗ୍ୟ ଖୋଲିଲା ୧୫ ମ୍ୟାଚ୍‌ରେ। ଜନ୍ମଦିନରେ ଟସ୍ ଜିତିବା ପରେ ସ୍କଟଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଡାକିଥିଲେ । ଶାର୍ଦୁଳ ଠାକୁରଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇ ୩ ଜଣିଆ ସ୍ପିନ୍ ଆକ୍ରମଣ ଯୋଜନାରେ ବି ସଫଳ ହୋଇଥିଲେ। ଭାରତ ମଧ୍ୟ ପାୱାର ପ୍ଲେରେ ୮୨ ରନ୍ ସଂଗ୍ରହ କରି ବିଶ୍ବକପ୍‌ ଇତିହାସରେ ନିଜ ସର୍ବାଧିକ ସଫଳତା ପାଇଥିଲା । ସେହିଭଳି କେଏଲ୍ ରାହୁଲ୍ ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ବିଶ୍ବକପ୍‌ରେ ତୃତୀୟ ସ୍ଥାନରେ ପହଞ୍ଚିଥିଲେ । ୨୦୦୭ରେ ଯୁବରାଜ ସିଂହ ୧୨ ବଲ୍‌ରୁ ଏବଂ ୨୦୧୪ରେ ଆୟର୍ଲାଣ୍ଡ୍ ବିପକ୍ଷରେ ଷ୍ଟିଫେନ୍ ମାୟବର୍ଗ ୧୭ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ୨୦୧୪ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ ପାକିସ୍ତାନ ବିପକ୍ଷରେ ମଧ୍ୟ ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ ।