ଆରୟନ ମାମଲାରୁ ହଟିଲେ ୱାଙ୍ଖଡେ : ଜାଲିଆତି କରି ସରକାରୀ ଚାକିରି କରିଥିବା ନେଇ ଅଭିଯୋଗ କରିଥିଲେ ଏନସିପି ନେତା

ଲାଞ୍ଚ କାରବାର ନେଇ ଅଭିଯୋଗ ପରେ ବଢ଼ିଥିଲା ବିବାଦ

85

କନକ ବ୍ୟୁରୋ : ଆରୟନ ଖାନ ତଦନ୍ତ ମାମଲାରୁ ସମୀର ୱାନଖଡ଼େଙ୍କୁ ହଟାଇଦିଆଯାଇଛି । ଏନସିବିର ମୁମ୍ବାଇ ଜୋନର ମୁଖ୍ୟ ଭାବେ ସମୀର ଏବେ କାମ କରୁଛନ୍ତି । ହେଲେ ସେ ଆରୟନ ମାମଲାର ଆଉ ତଦନ୍ତ କରିବେ ନାହିଁ । ବରଂ ଏନସିବିର ଦିଲ୍ଲୀ ଜୋନ ଏହି ମାମଲାର ତଦନ୍ତ କରିବ । ଆରୟନ ଖାନ ମାମଲା ସହ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ଦିଲ୍ଲୀ ଏନସିବି ପକ୍ଷରୁ ଏକ ଏସଆଇଟି ଗଠନ କରାଯାଇଛି । ଏବେ ଏହି ସବୁ ନୂଆ କେସ୍ ସଂଜୟ ସିଂ ତଦନ୍ତ କରିପାରନ୍ତି ବୋଲି ସୂଚନା ମିଳିଛି ।

ସେପଟେ ପ୍ରତିକ୍ରିୟା ରଖି ସମୀର ୱାନଖଡ଼େ କହିଛନ୍ତି ଯେ, ତାଙ୍କୁ ତଦନ୍ତରୁ ହଟାଯାଇ ନାହିଁ । ବରଂ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଇବାକୁ ସେ କୋର୍ଟରେ ଆବେଦନ କରିଥିଲେ । ଏହା ପରେ ଏସବୁ କେସକୁ ସ୍ଥାନାନ୍ତର କରାଯାଇଛି । ଏନସିବିର ମୁମ୍ବାଇ ଓ ଦିଲ୍ଲୀ ଜୋନ୍ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆରୟନ ଖାନ ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ୱାଙ୍ଖଡେ । ତେବେ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ସମୀର ଚାକିରି ପାଇବାକୁ ନିଜ ପ୍ରମାଣପତ୍ରରେ ହେରଫେର କରିଥିବା ସେ ଅଭିଯୋଗ କରିଥିଲେ ।