ଆସନ୍ତା ୯ରେ ଆଉ ଏକ ଲଘୁଚାପ : ସାରା ରାଜ୍ୟରେ ହ୍ରାସ ପାଇବ ତାପମାତ୍ରା, ବଢ଼ିବ ଶୀତ

313

କନକ ବ୍ୟୁରୋ : ଆସନ୍ତା ଦୁଇ ସପ୍ତାହରେ ବଙ୍ଗୋପସାଗରରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ନଭେମ୍ବର ଦ୍ବିତୀୟ ଓ ତୃତୀୟ ସପ୍ତାହରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ହେଇଛନ୍ତି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାର ଦିନ ସୁମାତ୍ରା ଦ୍ବୀପ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗ‌ରେ ଗତି କରି କ୍ରମଶଃ ଘନୀଭୂତ ହେବ ଓ ୯ ତାରିଖରେ ଲଘୁଚାପରେ ପରିଣତ ହେବ ।

୧୨ ବା ୧୩ତାରିଖରେ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ। ଦକ୍ଷିଣ ଆରବସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ସେତେବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାରୁ ପବନ ସେଠାକୁ ଟାଣି ହେବ । ଏଣୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ । ଫଳରେ ଚେନ୍ନାଇ ସହ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଏହା ପ୍ରଭାବରେ ଭୁବନେଶ୍ବର, ଗୋପାଳପୁର, ପୁରୀ ଓ ପାରାଦୀପ ସମେତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୧ ଓ ୧୨ ତାରିଖରେ ପ୍ରବଳ ବର୍ଷା ହେବ। ଉପକୂଳ ଜିଲ୍ଲାର ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ସହିତ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ରାୟଗଡ଼ା, କୋରାପୁଟ, ଓ ମାଲକାନଗିରିରେ ମଧ୍ୟ ହାଲୁକାରୁ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି ।

ରାଜ୍ୟରେ ୧୦ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ଭୁବନେଶ୍ବର ସମେତ ଉପକୂଳରେ ୬ ଓ ୭ରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି କମିବା ବେଳେ କନ୍ଧମାଳ ସମେତ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ୧୦ ସୁଦ୍ଧା ପ୍ରାୟ ୩ ଡିଗ୍ରି କମିପାରେ । ୧୧ରୁ ପୁଣି ରାତ୍ରି ତାପମାତ୍ରା ବଢ଼ିବ। ଭୁବନେଶ୍ବର ସମେତ ଉପକୂଳରେ ୧୧ରୁ ୧୩ପର୍ଯ୍ୟନ୍ତ ପାଗ କୋହଲା ସହ କୁହୁଡ଼ି ହେବାର ସମ୍ଭାବନା ରହିଛି । ଗତ ୩୦ ତାରିଖରେ କରାଯାଇଥିବା ପୂର୍ବ ଆକଳନ ଅନୁଯାୟୀ, ୧୪ ତାରିଖ ବେଳକୁ ଥାଇଲାଣ୍ଡ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ବିସ୍ତୃତ ହେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଉପକୂଳକୁ ମୁହାଁଇବ। ଏହାର ପ୍ରଭାବ ମଧ୍ୟ ରାଜ୍ୟରେ ପଡ଼ିବ । ତେବେ ୧୪ ତାରିଖ ବେଳକୁ ଏହା ଅଧିକ ସଠିକ୍‌ କହି ହେବ ।