ବଢୁଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣକୁ ନେଇ ଚିନ୍ତାରେ ମହାରାଷ୍ଟ୍ର ସରକାର । ସେପଟେ କିଛି ସହରରେ ଏବେ ବି ବୃଦ୍ଧି ପାଉଛି କରୋନା ସଂକ୍ରମଣ

157

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ନିର୍ଦ୍ଧିଷ୍ଟ କିଛି ସହର ବ୍ୟତୀତ ସାରା ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ହେଲେ ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ୍ ସଂକ୍ରମଣ ।

ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୯.୨୬୮ ଜଣଙ୍କ ଠାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଚିହ୍ନଟ ହୋଇଛି ଓ ୧୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୫,୦୯୧ ଜଣ ସୁସ୍ଥ ହୋଇଛନ୍ତି । ନାଗପୁର, ପୁଣେ, ଔରଙ୍ଗାବାଦ,ନାଶିକ୍, ସୋଲାପୁର ଓ ମୁମ୍ବାଇ ସହରରେ ସବୁଠାରୁ ଅଧିକ ବ୍ଲାକ ପଙ୍ଗସ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମୃତ୍ୟୁହାର ୧୨ ପ୍ରତିଶତ ରହିଛି । ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ପ୍ରଥମ ସ୍ଥାନରେ ନାଗପୁର ଓ ଦ୍ୱିତୀୟ ସ୍ଥାନରେ ପୁଣେ ରହିଛି ।

କହିରଖୁ କି ଦେଶରେ କରୋନାର ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର, ସବୁବେଳେ ସଂକ୍ରମଣ ହାରରେ ମହାରାଷ୍ଟ୍ର ଆଗରେ ରହିଛି । ଏହାସହ ମୃତ୍ୟୁହାର ବି ଅନ୍ୟରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ଅଧିକ ରହିଛି । ଗୋଟିଏ ଗୋଟିଏ ସମୟରେ ସାରା ଦେଶର ଦୈନିକ ସଂକ୍ରମଣ ୪୦ ପ୍ରତିଶତରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏବେ କରୋନା ସଂକ୍ରମଣ ଟିକେ ଥମିଥିବା ବେଳେ ମହାରାଷ୍ଟ୍ରର କୋହ୍ଲାପୁର, ପୁଣେ, ସାଂଗଲୀ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହିସବୁ ଜିଲ୍ଲାରେ ଏବେ ଆକ୍ଟିଭ୍ କେସ ବି ବୃଦ୍ଧି ପାଇଛି । କେବଳ ମୁମ୍ବଇରେ ୧୧.୦୮୮ ଆକ୍ଟିଭ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।