ଦ୍ବିତୀୟ ପର୍ଯ୍ୟାୟରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ। ପିଲାଙ୍କ ବ୍ୟକ୍ତିତ୍ବର ବିକାଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତରଣ : ନବୀନ

72

କନକ ବ୍ୟୁରୋ: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପାଠ ସହ ଖେଳ ଆଦିର ବିକାଶ ପାଇଁ ସୁଯୋଗ ଆଣିଛି । ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରିବାରେ ବିଶେଷ ସହାୟକ ହୋଇଛି ବୋଲି ଛାତ୍ରଛାତ୍ରୀ ମତ ଦେଇଥିଲେ। ଶୁକ୍ରବାର ଦ୍ବିତୀୟ ପର୍ୟ୍ୟାୟର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାହୋଇଛନ୍ତି । ସମସ୍ତେ ସ୍କୁଲର ରୂପାନ୍ତରରେ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଆତ୍ମବିଶ୍ବାସର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଲୋଚନାରେ ଭାଗ ନେଇ ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ, ଗଞ୍ଜାମରୁ ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହଁର ନବରଙ୍ଗପୁରରୁ ଜୁଇସ ସୁନା ଓ ଅନୁଗୁଳରୁ ବିଷ୍ଣୁ ପ୍ରସାଦ ଚଇନି ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ କହିଥିଲେ ।

ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାର ୫୩୧ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଂଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ, ଦ୍ବିତୀୟ ପର୍ୟ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।
ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମନ ଓ ମାନସିକତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରୁଛି ।
ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତିସ୍ଥାପିତ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ୟ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ୟ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ୟ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ୟ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ୟ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଅଙ୍ଗଦ କହଁର ଓ ବିଧାୟକ ମନୋହର ରନ୍ଧାରୀ ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପର ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ନବରଙ୍ଗପୁରର ଜଣେ ଛାତ୍ରୀ ଜୁଇସ ସୁନା ପିଲାଙ୍କ ଗମନାଗମନ ଅସୁବିଧା ଵିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ, ପିଲାଙ୍କ ସୁବିଧା ପାଇଁ ଅଧିକ ହଷ୍ଟେଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପଞ୍ଚାୟତ୍ତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଏସସିଏସଟି ବିବାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଧନ୍ୟବାଦ ଦେଇଥିଲେ ।