ବାଘୁଣୀ ପାଇଁ ବଦନାମ ହେଲା ଓଡିଶା । ଅନ୍ଧାରକୁ ଠେଲି ହୋଇଗଲା ବାଘୁଣୀ ସୁନ୍ଦରୀର ଭବିଷ୍ୟତ । ଓଡ଼ିଶାକୁ ଦାୟୀ କଲେ କାହ୍ନା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ।

518

କନକ ବ୍ୟୁରୋ: କଣ ହେବ ବାଘୁଣୀ ସୁନ୍ଦରୀର ଭବିଷ୍ୟତ ? ଜଙ୍ଗଲରେ ରହିବ ନା ଚିଡିଆଖାନାରେ ବିତିବ ଜୀବନ ? ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ସ୍ପେଶାଲ ଏନକ୍ଲୋଜରରେ ଘୁରି ବୁଲୁଛି ବାଘୁଣୀ ସୁନ୍ଦରୀ । ଜଙ୍ଗଲରେ ରହିଛି ସତ କିନ୍ତୁ ଧିରେ ଧିରେ କମିଗଲାଣି ସୁନ୍ଦରୀର ହିଂସ୍ର ସ୍ୱଭାବ । ଅନିଶ୍ଚିତତା ଭିତରେ ରହିଛି ସୁନ୍ଦରୀର ଭବିଷ୍ୟତ । ଆଉ ଏଥିପାଇଁ ଓଡିଶା ସରକାରଙ୍କୁ ଦାୟୀ କରିଛନ୍ତି କାହ୍ନା ଜାତୀୟ ଉଦ୍ୟାନର କର୍ତୃପକ୍ଷ ।

ମଣିଷଙ୍କୁ ଦେଖିଲେ ତାଙ୍କ ଆଡକୁ ମୁହାଁଉଛି ସୁନ୍ଦରୀ । ଜଙ୍ଗଲରେ ଛାଡିଲେ ସୁନ୍ଦରୀ ଜନବସତି ଆଡକୁ ଚାଲିଯିବାର ଭୟ ବି ରହିଛି । ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଛଡାଯିବା ପାଇଁ ସୁନ୍ଦରୀର ସ୍ୱତନ୍ତ୍ର ପ୍ରଶିକ୍ଷଣ ଚାଲିଥିଲାବେଳେ ଜଙ୍ଗଲରେ ସେ ଖାପଖୁଆଇ ନପାରେ ବୋଲି ଆଶଙ୍କା କରିଛନ୍ତି କାହ୍ନା ଜାତୀୟ ଉଦ୍ୟାନର କର୍ତୃପକ୍ଷ । ଓଡିଶାରେ ସୁନ୍ଦରୀ ପ୍ରତି ଅବହେଳା କରାଯାଇଛି , ସୁନ୍ଦରୀ ଓଡିଶାରେ ଥିବାବେଳେ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା , ଏଥିପାଇଁ ସେ ଜଙ୍ଗଲ ସହ ଖାପଖୁଆଇ ପାରୁନାହିଁ ବୋଲି କାହ୍ନା ବ୍ୟାଘ୍ର ଅଭ୍ୟାରଣ୍ୟର କର୍ତୃପକ୍ଷ କହିଛନ୍ତି ।

ସୁନ୍ଦରୀ ଓଡିଶାରେ ଥିବାବେଳେ ବନ ବିଭାଗର କର୍ମଚାରୀ ତାକୁ ଖାଇବାକୁ ମାଂସ ଦେଉଥିଲେ । ଏହାଯୋଗୁଁ ତାପାଖରେ ମଣିଷର ଛାପ ପଡିଥିବା ଲକ୍ଷଣ ରହିଥିବା ବିଶେଷଜ୍ଞ କହିଛନ୍ତି । ଓଡିଶାରୁ ଫେରିଆସିବା ପରେ ସୁନ୍ଦରୀକୁ ଯେତେ ପ୍ରଶିକ୍ଷଣ ଦେଲେ ବି ସେ ଆଉ ଜଙ୍ଗଲରେ ରହିପାରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ସୁନ୍ଦରୀର ପ୍ରଜନନ ବୟସ ହୋଇଛି , ତେଣୁ ବର୍ତ୍ତମାନ ସମୟରେ ତାକୁ ପ୍ରାଣୀ ଉଦ୍ୟାନରେ ରଖିଲେ ଠିକ ହେବ ବୋଲି କହିଲେ ବିଶେଷଜ୍ଞ ।

ବନ୍ୟଜନ୍ତୁଙ୍କ ସ୍ଥାନାନ୍ତରଣ ପ୍ରକଳ୍ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶରୁ ଓଡିଶାକୁ ଆସିଥିଲା । କିନ୍ତୁ ସୁନ୍ଦରୀକୁ ଉଚିତ ପ୍ରଶିକ୍ଷଣ ନମିଳିବାରୁ ଜନବସତି ଆଡକୁ ବାରମ୍ବାର ମୁହାଁଉଥିଲା । ଛୋଟ ଏନକ୍ଲୋଜରରେ ତାକୁ ରଖାଯାଇଥିଲା । ଆଉ ଶେଷରେ ମଧ୍ୟପ୍ରଦେଶ ଫେରିଥିଲା ସୁନ୍ଦରୀ । ଓଡିଶାର ବନ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ବାଘୁଣୀ ସୁନ୍ଦରୀର ଭବିଷ୍ୟତ ଅନ୍ଧକାରକୁ ଚାଲିଯାଇଥିବା ଅଭିଯୋଗ ହେଉଛି ।