ଗୁଇନ୍ଦା ଚେତାଇଲା, ପୁଲିସ ଅଣଦେଖା କଲା: ସବୁ ଜାଣି ଚୁପ ରହିଲା କମିସନରେଟ ପୁଲିସ !

97

କନକ ବ୍ୟୁରୋ: ଡ୍ରାଇଭର ସଂଘ ଆନ୍ଦୋଳନ କଲେ, ରାଜଧାନୀର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହୋଇଗଲା । ଯାନ, ବାହାନ. ସାଧାରଣ ଯାତ୍ରୀଙ୍କ କଥା ଛାଡନ୍ତୁ, ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡିଲେ ନାହିଁ ଆନ୍ଦୋଳନକାରୀ । ଚାହୁଁ ଚାହୁଁ ରାଜଧାନୀକୁ କବଜା କରିନେଲେ ହଜାର ହଜାର ଡ୍ରାଇଭର, ଆଉ କମିସନରେଟ ପୁଲିସ ଜଳକା ହୋଇ ଚାହିଁ ରହିଥିଲା । ଯାହା ଫଳରେ ଗୁଇନ୍ଦା ବିଭାଗର ବିଫଳତାରୁ ନେଇ ପ୍ରଶ୍ନ ଉଠିଲା । ହେଲେ ଏହାରି ଭିତରେ ଗୁଇନ୍ଦା ବିଭାଗର ଏହି ଚିଠି କନକ ନ୍ୟୁଜ ହାତରେ ଲାଗିଛି । ଅପ୍ରିଲ ୧୬ ତାରିଖରେ ଗୁଇନ୍ଦା ବିଭାଗ ଏହି ଚିଠି ଲେଖି ଗୃହ ବିଭାଗ, ଜିଲ୍ଲା ଏସପି, କଟକ–ଭୁବନେଶ୍ୱର ଡିସିପିଙ୍କୁ ଡ୍ରାଇଭରଙ୍କ ଆନ୍ଦୋଳନ ବାବଦରେ ଜଣାଇଥିଲା । ଚିଠିରେ ଆନ୍ଦୋଳନ ସଂପର୍କରେ ବିସ୍ତୃତ ତଥ୍ୟ ଦେବା ସହ ଅପ୍ରୀତିକର ପରିସ୍ଥିତି ହେବା ନେଇ ଆଗୁଆ ଚେତେଇ ଦେଇଥିଲା । ଚିଠିରେ ଉଲ୍ଲେଖ ଅଛି

ପ୍ରତି ଜିଲ୍ଲାରୁ ୪ ହଜାରରୁ ଅଧିକ ଡ୍ରାଇଭର ଭୁବନେଶ୍ୱର ଆସିବେ
୧୭ତାରିଖ ରାତିରୁ ଟ୍ରେନ, ବସ ଯୋଗେ ବିଭିନ୍ନ ସ୍ଥାନରୁ ଡ୍ରାଇଭର ଆସୁଛନ୍ତି
ରାଜଧାନୀରେ୍ ୪୦ ହଜାରରୁ ଅଧିକ ଡ୍ରାଇଭର ସମାବେଶ କରିପାରନ୍ତି
ରାଜଧାନୀରେ ଆଇନ-ଶୃଙ୍ଖଳା ପରିସ୍ଥିତି ବିଗିଡିପାରେ
ନବୀନ ନିବାସ ସହ ଲୋକସେବା ଭବନକୁ ପ୍ରବେଶ ଉଦ୍ୟମ କରିପାରନ୍ତି
ବାଣୀବିହାରରୁ ଲୋୟର ପିଏମଜି ଯାଏଁ ବଡ ରାଲି କରିବେ

ଗୁଇନ୍ଦା ବିଭାଗ ଚେତାଇ ଥିବା ବେଳେ କାହିଁକି ଅଣଦେଖା କଲା କମିସନରେଟ ପୁଲିସ ? ପ୍ରଶ୍ନ ଉଠୁଛି ଏତେ ବଡ ରାଲିକୁ ଅନୁମତି ଦେଲା କିଏ? ରାଜଧାନୀର ପ୍ରବେଶ ପଥରେ ବିକ୍ଷୋଭକାରୀଙ୍କୁ କାହିଁକି ଅଟକାଇଲେ ନାହିଁ ? ରାଲି ସମୟରେ ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା ଓ ଲୋକଙ୍କ ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା କାହିଁକି କରାଯାଇନଥିଲା ?
ସେପଟେ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ସରକାର ଓ କମିସନରେଟ ପୁଲିସ ଜାଣିଥିଲେ ଯେ ରାଜଧାନୀକୁ ସୋମବାର ଦିନ ୪୦ ହଜାରରୁ ଅଧିକ ଡ଼୍ରାଇଭର ଆନ୍ଦୋଳନକୁ ଆସୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପୁଲିସ ସେମାନଙ୍କୁ ସହର ଭିତରକୁ ପଶିବାକୁ ଦେଲା ଏବଂ ତାଙ୍କ ସାମ୍ନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା । କାରଣ ଡ଼୍ରାଇଭରଙ୍କ ସଂଖ୍ୟା ଦୃଷ୍ଟିରୁ ସେତେବେଳେ ପୁଲିସ ଆଉ କିଛି କରିବା ଅବସ୍ଥାରେ ନଥିଲା । ସେଦିନ ଭୁବନେଶ୍ୱର ଡିସିପି କହିଥିଲେ ଅନୁମତି ଠାରୁ ଅଧିକ ସଂଖ୍ୟାରେ ଡ୍ରାଇଭର ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ ।

ଗୁଇନ୍ଦା ବିଭାଗ ଜଣାଇଥିଲା, କମିସନରେଟ ପୁଲିସ ପଦକ୍ଷେପ ନେଲା ନାହିଁ । ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା । କିନ୍ତୁ ପ୍ରଶ୍ନ ଉଠୁଛି ଏଥିପାଇଁ କିଏ ଦାୟୀ? ଏହାର ଉତରଦାୟୀ ହେବ କିଏ?