ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: କୋର୍ଟଙ୍କ ଛାଟ ପରେ ପ୍ରେମିକା ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ 

236

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହିଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ ନେଇଛି ।  ହାଇକୋର୍ଟଙ୍କ ତାଗିଦ ପରେ ପ୍ରେମିକା ଓ ତାଙ୍କ ମାଙ୍କ ବିରୋଧରେ ମାମଲା ରୁଜୁ କରିଛି କମିଶନରେଟ୍ ପୁଲିସ । ଉଭୟଙ୍କ ବିରୋଧରେ ଆଇପିସି ଧାରା ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ ଉସକାଇବା, ଏବଂ ଆଇପିସି ଧାରା ୩୪ ଅର୍ଥାତ ସମାନ ଉଦେଶ୍ୟ ରଖି ଅପରାଧ ଘଟାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ଆତ୍ମହତ୍ୟା କରିବା ପାଇଁ କେହି ଉସକାଇଥିବା ଅନେକ ସମୟରେ ଅଭିଯୋଗ ହେଉଥିଲେ ବି ପ୍ରାୟତଃ ପୁଲିସ ଏହାକୁ ଏଡାଇ ଯାଇଥାଏ । ଏହି ମାମଲାରେ ବି ଏଡାଇଯାଇଥିଲା । ଜାନୁଆରୀ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲେ ବି , ତାଙ୍କ ଆତ୍ମହତ୍ୟା ପାଇଁ ସେ ପ୍ରେମିକାଙ୍କୁ ଦାୟୀ କରି ହାତଲେଖା ଚିଠି ଛାଡି ଯାଇଥିଲେ ବି ପୁଲିସ ଏହାକୁ ଅଣଦେଖା କରିଥିଲା । ଏପରିକି ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ଅଭିଯୋଗ କରିଥିଲେ ବି ପୁଲିସ ମାମଲା ରୁଜୁ କରିନଥିଲା । ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର ଲୋକ ।

ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍ ନୋଟରେ ଲେଖିଥିଲେ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟୀ ।  ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ତାଙ୍କ ପ୍ରେମିକା ଓ ତାଙ୍କ ମାଙ୍କ ନାଁରେ ମାମଲା ରୁଜୁ ହେବା ପରେ ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶାବାଦୀ ଅଛନ୍ତି ।