ରାଜରାସ୍ତାରେ ଇମ୍ରାନଙ୍କ ସମର୍ଥକ: ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ଼

135

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀକୁ ନେଇ ଦେଶରେ ଜାରି ରହିଛି ହିଂସାତ୍ମକ ସ୍ଥିତି । ନିଜ ପ୍୍ରିୟ ନେତାଙ୍କ ଗିରଫଦାରୀ ବିରୋଧରେ ରାସ୍ତାରାସ୍ତାକୁ ଓହ୍ଲାଇ ଲଗାତର ବିରୋଧ ପ୍ରଦର୍ଶନ କରୁଛନ୍ତି । ଇମ୍ରାନଙ୍କ ସମର୍ଥକ ଦେଶରେ ସରକାରୀ ସମ୍ପତିକୁ ପୋଡ଼ିଜାଳି ନଷ୍ଟ କରିବା ସହ ଭଙ୍ଗାରୁଜା, ଓ ଲୁଟପାତ କରୁଛନ୍ତି । ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, କରାଚି, ପେଶାୱର ପର୍ଯ୍ୟନ୍ତ ହିଂସାକାଣ୍ଡ ଘଟାଉଛନ୍ତି । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଲାହୋର ସ୍ଥିତ ଘର ଉପରକୁ ଆକ୍ରମଣ କରିଛନ୍ତି ୫ଶହରୁ ଅଧିକ ଉତ୍ୟକ୍ତ ପ୍ରଦର୍ଶନକାରୀ । ପାକିସ୍ତାନ ତେହରିକେ ଇନସାଫର କର୍ମୀମାନେ ଶହବାଜଙ୍କ ଘର ଉପରକୁ ବୋମା ମାଡ କରିଛନ୍ତି । ଏଥିରେ ଘର ପରିସର ଭିତରେ ଥିବା ଅନେକ ଗାଡି ଜଳି ଯାଇଛି ।

ସେପଟେ ଦେଶରେ ହିଂସା ରୋକିବାକୁ ସରକାର କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ଖାତିର ନକରି ଇମ୍ରାନଙ୍କ ସମର୍ଥକ ଶେହବାଜଙ୍କ ଘର ଉପରେ ବୋମା ଫିଙ୍ଗିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଏହି ସମୟରେ ଘରେ ନଥିଲେ ବୋଲି ଜଣାପଡିଛି । ସେପଟେ ଦେଶବାସୀଙ୍କୁ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନର ୭୫ ବର୍ଷ ଇତିହାସରେ ଏଭଳି କେବେ ହୋଇନାହିଁ । ଆମ୍ବୁଲାନ୍ସରୁ ରୋଗୀଙ୍କୁ ବାହାର କରାଯାଇ ନିଆଁ ଲଗାଯାଇଛି । ଶତ୍ରୁ ଯାହା କରିନଥିଲେ ଇମ୍ରାନଙ୍କ ସମର୍ଥକ ତାହା କରିଛନ୍ତି । ଆଗକୁ ଆଇନକୁ ହାତକୁ ନେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ପାକିସ୍ତାନରେ ଯେଉଁଭଳି ବିରୋଧ, ପ୍ରଦର୍ଶନ ଜାରି ରହିଛି, ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇ ସାରିଲାଣି । ପଂଜାବରେ ଦୁଇ ଦିନରେ ୧୪ଟି ସରକାରୀ ସମ୍ପତି ନଷ୍ଟ ହୋଇଛି । ୨୧ଟି ପୋଲିସ ଗାଡ଼ିକୁ ମଧ୍ୟ ପୋଡ଼ିଦେଇଛନ୍ତି ପ୍ରଦର୍ଶନକାରୀ । ଆଉ ହିଂସାକାଣ୍ଡରେ ୭ ମୃତ, ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଯଦି ଏପରି ସ୍ଥିତି ଲାଗି ରୁହେ, ଆଗକୁ ଗୃହଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।