ଭୁବନେଶ୍ୱରରୁ ଦୁବାଇ ଉଡିବ ବିମାନ। ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ଟିକେଟ।

713

କନକ ବ୍ୟୁରୋ: କରୋନା ପାଇଁ ୨ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା । ଆଉ ସ୍ଥିତି ସ୍ୱାଭାବିକ ହେବା ପରେ, ମେ ୧୫ରୁ ପ୍ରଥମ କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ । ଏହି ବିମାନରେ, ସାରା ବିଶ୍ୱର ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ ପାଲଟିଥିବା ଦୁବାଇକୁ ଯିବେ ଓଡିଶାର ବିଭିନ୍ନ ବର୍ଗର ଲୋକ । ଆଉ ଏଥିରେ ମିଶନ ଶକ୍ତି ମହିଳାଙ୍କ ସମେତ, ଖେଳାଳି, ଆଦିବାସୀ ନେତା, ଓଡିଶାର ଦକ୍ଷ କଳାକାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରିଥିବା ବ୍ୟକ୍ତି ଦୁବାଇକୁ ଯିବେ । ସେମାନଙ୍କ ଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିକେଟ ଦେଇଛନ୍ତି । ଦୁବାଇ ଯିବା ପାଇଁ ଟିକେଟ ପାଇଥିବା ଲୋକ ବି ଉତ୍ସାହିତ ଅଛନ୍ତି ।
ଭୁବନେଶ୍ୱରରୁ ସିଧାସଳଖ ବିମାନ ଉଡୁଥିବାରୁ ଦୁବାଇକୁ ଯିବେ ବିଜେଡିର ନେତା । ସୂଚନା ଅନୁସାରେ ବିଧାୟକ ଅରୁଣ ସାହୁ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଦେବୀ ମିଶ୍ର, ଓ ଶ୍ରୀମୟୀ ମିଶ୍ରଙ୍କ ସମେତ ବହୁ ବିଜେଡି ନେତା ପର୍ଯ୍ୟାୟ କ୍ରମେ ଦୁବାଇ ଯିବେ । ସେଠାରେ ବିଭିନ୍ନ ସ୍ଥାନରେ ବୁଲିବା ସହ କେମିତି ଏତେ ବିକଶିତ ହୋଇଛି, ଟୁରିଜିମର ଡେଷ୍ଟିନେସନ ପାଲଟିଛି ତାହା ଦେଖିବେ । ଦୁବାଇରେ ଥିବା ଓଡିଆ ସମାଜକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ଓଡିଶା ପାଇଁ ବେଶ୍ ଲାଭ ଦାୟକ ହେବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।

ବିମାନ ଉଡାଣ ପାଇଁ ବିମାନବନ୍ଦରରେ ଇଣ୍ଟରନ୍ୟାସନାଲ ଟର୍ମିନାଲରେ ଜୋରସୋରରେ କାମ ଚାଲିଛି । ଦୁବାଇ ଯିବା ଆସିବା ପାଇଁ ଯାତ୍ରୀ ଭଡା ୨୦ ହଜାର ଟଙ୍କା ପଡିବ ।ଭୁବନେଶ୍ୱରରୁ ଦୁବାଇ ପହଞ୍ଚିବା ପାଇଁ ୫ଘଂଟା ସମୟ ଲାଗିବ । ଉକ୍ରଳ ଦିବସ ଅବସରରେ ଦୁବାଇ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ବିମାନ ଟିକେଟ ବିକ୍ରିର ଶୁଭାରମ୍ଭ କରିଥିଲେ । ଚୁକ୍ତିନାମା ଅନୁସାରେ, ଇଣ୍ଡିଗୋ ଏୟାରଲାଇନ୍ସ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସପ୍ତାହରେ ୩ ଥର ସିଧାସଳଖ ଦୁବାଇ ଯିବ ।