କାଠ ମାଫିଆଙ୍କ କବଜାରେ ସମୁଦ୍ର କୂଳର ଝାଉଁ ଜଙ୍ଗଲ । ବୃକ୍ଷ ଶୁନ୍ୟ ହେଉଛି ପାରାଦୀପର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ, ଲକଡାଉନ ଓ ସଟଡାଉନର ଫାଇଦା ନେଇ ଲୁଟି ନେଉଛନ୍ତି ଝାଉଁ ବଣ ।

455

କନକ ବ୍ୟୁରୋ : କାଠ ମାଫିଆଙ୍କ କବଜାରେ ସମୁଦ୍ର କୂଳର ଝାଉଁ ଜଙ୍ଗଲ । ନିରବ ଦ୍ରଷ୍ଟା ସାଜିଛନ୍ତି ବନବିଭାଗ । ବୃକ୍ଷ ଶୂନ୍ୟ ହେଉଛି ପାରାଦୀପର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ । ଲକଡାଉନ୍ ଓ ସଟଡାଉନର ଫାଇଦା ନେଇ କାଠ ମାଫିଆ ଲୁଟି ନେଉଛନ୍ତି ସମୁଦ୍ର କୂଳର ଝାଉଁ ଜଙ୍ଗଲ । ସେପଟେ କର୍ମଚାରୀ ରହୁ ନଥିବାରୁ ଜଙ୍ଗଲ ବିଭାଗର ବିଟ୍ ହାଉସ ଏବେ ପାଲଟିଛି ଦୁର୍ବୃତ୍ତଙ୍କ ଆଡ୍ଡାସ୍ଥଳୀ । ମାତ୍ର ମାନିବାକୁ ଅପ୍ରସ୍ତୁତ ବିଭାଗୀୟ ଅଧିକାରୀ ।

କରୋନା ମହାମାରୀ ବେଳେ ଲକଡାଉନ ଓ ସଟଡାଉନ ଫାଇଦା ଉଠାଇ ଝାଉଁ ବଣ ଲୁଟୁଛନ୍ତି କାଠ ମାଫିଆ । ଗତବର୍ଷ ଠାରୁ ଲଗାତର ଭାବେ ତାଲାବନ୍ଦ ଯୋଗୁଁ ଲୋକେ ବାହାରକୁ ବାହାରୁ ନାହାନ୍ତି । ଫଳରେ ପାରାଦୀପ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ମାତିଛନ୍ତି ମାଫିଆ । କାଠ ମାଫିଆ ସ୍ଥାନୀୟ ବସ୍ତିର ମହିଳାଙ୍କୁ ଲଗାଇ ଲୁଟି ଚାଲିଛନ୍ତି ଝାଉଁ ବଣ । ଗତବର୍ଷ ମଧ୍ୟ ତାଲାବନ୍ଦ ସମୟରେ କଳିଙ୍ଗ ବାଲିଯାତ୍ରା ପଡିଆ ନିକଟ ଝାଉଁ ଜଙ୍ଗଲକୁ ମାଫିଆମାନେ ସମ୍ପୂର୍ଣ୍ଣ ସଫା କରିଦେଇଥିବା ଅଭିଯୋଗ ହୋଇଛି ।

ଚଳିତବର୍ଷ ଏଠାରେ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଝାଉଁ ଗଛ ଲଗାଯାଇଛି । ମାତ୍ର ପାରାଦୀପ ହନୁମାନ ମନ୍ଦିର ନିକଟରେ ପ୍ରାୟ ୧୮ କିଲୋମିଟର ବ୍ୟାପି ରହିଥିବା ଝାଉଁ ଜଙ୍ଗଲ ଏବେ କାଠ ମାଫିଆଙ୍କ କବଜାରେ । ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଚୁପ୍ ରହିଛନ୍ତି ବନ ବିଭାଗ ।

୧୯୯୯ ମହାବାତ୍ୟା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଫଳରେ ବାତ୍ୟା ସମୟରେ ସମୁଦ୍ର ଜୁଆର ଓ ପବନରୁ ପାରାଦୀପକୁ ସୁରକ୍ଷା ଯୋଗାଇ ପାରିବ ଏହି ଝାଉଁ ବଣ । ଏହାକୁ ଜଗିବା ପାଇଁ ଷଣ୍ଢକୁଦ ବସ୍ତି ନିକଟ ବିଟ୍ ହାଉସରେ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଥିଲେ । ମାତ୍ର ଏବେ ବିଟ୍ ହାଉସର ଦୃଶ୍ୟ ସମସ୍ତଙ୍କୁ ଚିନ୍ତିତ କରିଛି ।

ଚାରିଆଡେ ପଡିଛି ମଦ ବୋତଲ ଏବଂ ନିଶା ପାନ ବ୍ୟବହାର ହୋଇଥିବା ସାମଗ୍ରୀ । ଏଠାରେ କୌଣସି ବନ ବିଭାଗ କର୍ମଚାରୀ ରହୁନଥିବାରୁ ଏହା ଏବେ ଦୁର୍ବୃତ୍ତଙ୍କ ଆଡା ପାଲଟିଛି । ତେବେ ଏଠାରେ କର୍ମଚାରୀ ଜଗୁଛନ୍ତି । ଏବଂ ଗଛ କଟା ଯାଉନାହିଁ ବୋଲି କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି କୁଜଙ୍ଗ ବନଖଣ୍ଡ ଅଧିକାରୀ ।

ସାମୁଦ୍ରିକ ଢେଉ ଓ ବାତ୍ୟାରୁ ଉପକୂଳକୁ ସୁରକ୍ଷା ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ଏହାକୁ ସୁରକ୍ଷା ଦେବାକୁ ବିଫଳ ବନ ବିଭାଗ । ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାଠ ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।