୪ବର୍ଷ ବୟସ କୁନିପିଲାର କମାଲ । କବିତା ଗାନ, ନିର୍ଭୁଲ ଭାବେ ଶୂନ୍ୟ ସ୍ଥାନ ପୂରଣ ଓ ମୌଳିକ ଗଣିତରେ ପାରଙ୍ଗମ ଆରବ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ପାଇଲେ ସ୍ଥାନ ।

874

କନକ ବ୍ୟୁରୋ : ବୟସ ମାତ୍ର ୪ବର୍ଷ । କିନ୍ତୁ ଏହି କମ ବୟସରେ ଅନେକ ପ୍ରତିଭାର ଅଧିକାରୀ । ବ୍ରହ୍ମପୁର ନିଳାଚଳ ନଗରର ୪ବର୍ଷୀୟ ଆରବ ପଟ୍ଟନାୟକ ଦାସ ନିଜର ପ୍ରତିଭା ବଳରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ ନିଜ ନାଁ ସାମିଲ କରିପାରିଛନ୍ତି । ୩୦ରୁ ଅଧିକ ଛନ୍ଦୋବୋଧ କବିତା ଗାନ, ନିର୍ଭୁଲ ଭାବେ ଶୂନ୍ୟ ସ୍ଥାନ ପୂରଣ କଷ୍ଟ ଶବ୍ଦର ବନାନ ସ୍ପଷ୍ଟ ଭାବେ ଲେଖିବା ଓ କହିବା ଏହାସହ ମୌଳିକ ଗଣିତରେ ପାରଙ୍ଗମ ଆରବ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ।

୪ବର୍ଷୀୟ ଆରବ ପଟ୍ଟନାୟକ ଦାସ । ଛନ୍ଦୋବୋଧ କବିତା ଗାନ କରିବାରେ ଯେପରି ପାରଙ୍ଗମ କଷ୍ଟ ଶବ୍ଦର ବନାନ ସ୍ପଷ୍ଟ ଭାବେ ଲେଖିବା ଓ କହିବାରେ ବି ମାହିର । କେବଳ ଏତିକି ନୁହେଁ ନିର୍ଭୁଲ ଭାବେ ଶୂନ୍ୟ ସ୍ଥାନ ପୂରଣ କରିବା ସହ ମୌଳିକ ଗଣିତରେ ବି ବେଶ ଆଗରେ ଏହି କୁନି ପୁଅ । ସାଧାରଣ ଜ୍ଞାନର ମଧ୍ୟ ସଠିକ୍ ଉତ୍ତର ଦେଉଛନ୍ତି । ୪ବର୍ଷର କୁନି ପିଲାର ଏଭଳି ସ୍ମରଣ ଶକ୍ତି ଦେଖି ଯେ କେହିବି ଚକିତ ହୋଇଯିବ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସକୁ ତାଙ୍କ ବାପା, ମା ଆରବଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ଭିଡିଓ ପଠାଇଥିଲେ । ନିଜର ଜ୍ଞାନ ଓ ପ୍ରତିଭା ବଳରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ ସାମିଲ ହୋଇଛି ତାଙ୍କ ନାଁ ।

ପ୍ରାୟ ଦେଢ ବର୍ଷ ବୟସରୁ ଅନେକ ପ୍ରଶ୍ନ ପଚାରିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ରୁଚି ରଖୁଥିଲେ ଆରବ । ସେହି ଦିନଠାରୁ ତାଙ୍କର ସ୍ମରଣଶକ୍ତି ନେଇ ଜାଣିବା ସହ ପ୍ରତିଦିନ ଦୁଇ ଘଂଟା ତାଙ୍କୁ ଗଣିତ, ଇଂରାଜୀ ଓ କବିତା ପଢାଉଥିଲେ । ତାଙ୍କର ଏଭଳି ରେକର୍ଡକୁ ନେଇ ବାପା, ମା ବେଶ ଖୁସି ଥିବା ବେଳେ ଆଗାମୀ ଦିନରେ ସେ ଅନେକ ସଫଳତା ହାସଲ କରିବେ ବୋଲି ଆଶା ରଖିଛନ୍ତି ପରିବାର । ଆରବଙ୍କ ଏଭଳି ପ୍ରତିଭାକୁ ନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ ତାଙ୍କ ନାଁ ସାମିଲ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।