କାହାର ମଙ୍ଗଳ କରୁଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଗୋଟିଏ ସଂସ୍ଥାକୁ ଟେକିଦେଲେ ସବୁ ଟେଣ୍ଡର, ୱାଟର ଫିଲ୍ଟର ଓ ଚେୟାର କିଣାରେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ।

265

କନକ ବ୍ୟୁରୋ : କାହାର ମଙ୍ଗଳ କରୁଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ବାଲେଶ୍ୱର ଜିଲ୍ଲାରେ ଏବେ ଏହି ଚର୍ଚ୍ଚା ଚାଲିଛି । କେମିତି ଅଫିସର ମାନେ ମାଲାମାଲ ହେଉଛନ୍ତି, ତାର ଏକ ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି ।

ଚଳିତ ବର୍ଷ ରାଜ୍ୟ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଚେୟାର ଟେବୁଲ ଓ ୱାଟର ଫିଲ୍ଟର କିଣିବା ପାଇଁ ୧୩ କୋଟି ୮୯ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଆଉ ଏଥିପାଇଁ ବାଲେଶ୍ୱରକୁ ୯୫ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇଥିଲା । ସରକାରୀ ଗାଇଡଲାଇନ୍ ଅନୁସାରେ ସବୁ ଜିଲ୍ଲାର କ୍ରୟ କମିଟି ମାଧ୍ୟମରେ ଜିଇଏମ ପୋର୍ଟାଲ ଦ୍ୱାରା ଏ ସବୁ ସାମଗ୍ରୀ କିଣାଯିବ । ହେଲେ ସରକାରୀ ନିୟମକୁ ବେଖାତିର କରି ଜିଇଏମରୁ ଓପନ ଟେଣ୍ଡର ନକରି ସମସ୍ତ ଟଙ୍କାକୁ ଭାଗଭାଗ କରି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ମନଇଚ୍ଛା ସମସ୍ତ ଜିନିଷ ସପ୍ଲାୟ କରିବା ପାଇଁ ଅର୍ଡର ଦେଇଥିଲେ ତକ୍ରାଳୀନ ବାଲେଶ୍ୱର ଜିଲ୍ଲା ସମାଜ ମଙ୍ଗଳ ଅଧିକାରି କୁସୁମମାଳା ମିଶ୍ର । ଏବଂ ସେଇ ସପ୍ଲାୟରକୁ ବିଲ୍ ପେମେଣ୍ଟ କରିବା ପାଇଁ ମଧ୍ୟ ସବୁ ପ୍ରକାରର ଫର୍ମାଲିଟି ମଧ୍ୟ ସାରିଦେଇଥିଲେ । ଏମିତିକି ପେମେଂଟ କରିବା ସିଆରଏସି ବା କ୍ରାକ୍ ମଧ୍ୟ ଜେନେରେଟ୍ କରାସରିଥିଲା । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ସପ୍ଲାୟରର ବିନା ଉପକରଣ ସପ୍ଲାୟ ଓ ବିନା ଷ୍ଟକ୍ ଏଟ୍ରିଂରେ କେମିତି କ୍ରାକ ଜେନେରେଟ୍ କରାଗଲା ତାହା ବର୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ ।

ଏହି ଦୁର୍ନୀତି ନେଇ ଅଭିଯୋଗ ଆସିବା ପରେ ଚଳିତ ମାସ ବାଲେଶ୍ୱର ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏପରିକି ଏହାରି ଭିତରେ କୁସୁମମାଳାଙ୍କୁ ଭୁବନେଶ୍ୱର ଲୋକସେବା ଭବନକୁ ବଦଳି କରାଯାଇଥିବା ବେଳେ ସେ ସେଠାରେ କାର୍ଯ୍ୟରେ ଯୋଗ ନଦେଇ ଛୁଟିରେ ରହିଥିଲେ । ଏବଂ ପରେ ପୁଣି ସେ ମୟୂରଭଞ୍ଜକୁ ନିଜର ବଦଳି କରାଇ ସେଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ କୁସୁମମାଳା ମିଶ୍ର ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ ମୟୂରଭଂଜରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ତାଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିଲା । ସେଥି ମଧ୍ୟରୁ କଣ୍ଢେଇ ଦୁର୍ନୀତି ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।