ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ନେଇ ଡ଼ିଏମଇଟିଙ୍କ ସୂଚନା : ପ୍ରଥମ ପର୍ଯ୍ୟାୟରେ ଶିଶୁଙ୍କ ପାଇଁ ୩ ହଜାର ବେଡ଼୍ ବ୍ୟବସ୍ଥା କରାଯାଇଛି

136

କନକ ବ୍ୟୁରୋ : ଓଡ଼ିଶାରେ ଶିଶୁ କୋଭିଡ଼ ହସ୍ପିଟାଲ କରିବା ନେଇ ଚିନ୍ତା କରୁଛନ୍ତି ସରକାର । ଏନେଇ ସୁଚନା ଦେଇଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୩ହଜାର ବେଡ଼ ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା ରାଜ୍ୟରେ ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି । ଯଦି ଆବଶ୍ୟକ ହୁଏ ସ୍ୱତନ୍ତ୍ର ଶିଶୁ କୋଭିଡ଼ ହସ୍ପିଟାଲ କରାଯିବ ।

ଗତ ୨୪ ଘଂଟାରେ ପୁଣି ୧୨୮ ପିଲାଙ୍କ ଠାରେ କରୋନା ଚିହ୍ନଟ କରାଯାଇଛି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି ଏବଂ ଏହି ଲହରରେ ଛୋଟ ଛୋଟ ପିଲା ଅଧିକ ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଇଛି । ସେଥିପାଇଁ ଗତ କିଛି ଦିନ ହେଲା ଓଡ଼ିଶା ସରକାର ଛୋଟ ପିଲାଙ୍କ କରୋନା ସଂକ୍ରମଣକୁ ନେଇ ତଥ୍ୟ ଦେଉଛନ୍ତି ।

ସେପଟେ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ, ଆଇସିୟୁ ବେଡ, ଏଚଡିୟୁ ବେଡ, ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ ଏବଂ ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ ବ୍ୟବସ୍ଥା ହୋଇଛି । କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ ସରଂକ୍ଷଣ କରାଯାଇଛି । ଏଣୁ ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ । ସରକାର ଏହାକୁ ପ୍ରତିଦିନ ମନିଟରିଂ କରୁଛନ୍ତି ଏବଂ ଯାହା ପଦକ୍ଷେପ ନେବା କଥା ନିଆଯାଉଛି ।