ବଢିଲା ଦିଦିଙ୍କ ପାଇଁ ଅଡୁଆ । କୋଲକତା ହାଇକୋର୍ଟଙ୍କ ନିଷ୍ପତ୍ତି, ନିର୍ବାଚନ ପରବର୍ତ୍ତି ହିଂସାର ଯାଂଚ କରିବ ସିବିଆଇ

154

କନକ ବ୍ୟୁରୋ : କୋଲକତା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିପାରେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତି ହିଂସାର ନରପେକ୍ଷ ଯାଂଚ ପାଇଁ ହୋଇଥିବା ଆବେଦନର ଉପରେ ଗୁରୁବାର ଦିନ କୋଲକତା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ଶୁଣାଣି ବେଳେ କୋର୍ଟ କହିଛନ୍ତି କି ନିର୍ବାଚନ ପରବର୍ତ୍ତି ହିଂସାର ଯାଂଚ କରିବ ସିବିଆଇ । କହିରଖୁ କି କୋର୍ଟ କେବଳ ନିର୍ବାଚନ ପରେ ହୋଇଥିବା ହତ୍ୟା ଓ ବଳତ୍କାର ମାମଲାର ଯାଂଚ ସିବିଆଇ କରିବ । ଅନ୍ୟସବୁ ଅଭିଯୋଗର ଯାଂଚ ଏସଆଇଟି କରିବ ବୋଲି କୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୋର୍ଟ ଆହୁରି କହିଛନ୍ତି କି ପଶ୍ଚିମବଙ୍ଗର ଆଇପିଏସ ଅଧିକାରୀଙ୍କୁ ନେଇ ଏସଆଇଟି ଟିମ୍ ଗଠନ କରାଯିବ । ଏହି ଟିମ କୋର୍ଟଙ୍କ ତତ୍ୱାବଧାନରେ ଯାଂଚ କରିବ ।

ଅନ୍ୟପଟେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ହିଂସାରେ ପୀଡିତ ଲୋକମାନଙ୍କୁ ସହାୟତା ଦେବା ନେଇ ହୋଇଥିବା ଆବେଦନ ଉପରେ ତୁରନ୍ତ ବିଚାର କରି ସେମାନଙ୍କୁ ସହାୟତା ଯୋଗାଇ ଦିଅ । ଏହାସହ ୬ ସପ୍ତାହ ମଧ୍ୟରେ ସ୍ଥିତିର ରିପୋର୍ଟ ପ୍ରସ୍ତୁତ କରି କୋର୍ଟକୁ ଦେବାକୁ ସିବିଆଇ ଓ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି କି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୪ ତାରିଖରେ ହେବ । କୋଲକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ, ଜଷ୍ଟିସ ଆଇପି ମୁଖାର୍ଜୀ, ଜଷ୍ଟିସ ହରୀଶ ଟଣ୍ଡନ,ଜଷ୍ଟିସ ସୋମେନ ସେନ ଓ ଜଷ୍ଟିସ ସୁବ୍ରତ ତାଲୁକଦାରଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।