କାହିଁକି ଜେଲ ଗଲେ ଆଇଏଏସ ଅଫିସର ବିନୋଦ କୁମାର ? କଣ ଥିଲା ଦୋଷ, ପଢନ୍ତୁ ପୂରା ରିପୋର୍ଟ

53

କନକ ବ୍ୟୁରୋ : ଓଆରଏଚଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଛନ୍ତି ଆଇଏଏସ ବିନୋଦ କୁମାର । ବାତ୍ୟା ଆଶ୍ରୟ ସ୍ଥଳୀ ବାବଦକୁ ଆସିଥିବା ଟଙ୍କା ହଡପ ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଭିଜିଲାନ୍ସ କୋର୍ଟ ବିନୋଦଙ୍କୁ ୩ବର୍ଷ ଦେଲ ଦଣ୍ଡ ସହ ୭୫ ହଜାର ଟଙ୍କା ଜୋରିମାନା କରିଛନ୍ତି ।

ଜେଲ ଗଲେ ଆଇ.ଏ.ଏସ୍ ବିନୋଦ କୁମାର । ୫୫ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ୩ ବର୍ଷ ଜେଲ ଦଣ୍ଡ ସହ, ୭୫ ହଜାର ଟଙ୍କା ଜରିମାନା କରିଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ, ଗଣମାଧ୍ୟମକୁ ଏଡାଇ ଚାଲି ଯାଇଥିଲେ ବିନୋଦ । ଓ.ଆର.ଏଚ.ଡି.ସି ଅର୍ଥାତ ଓଡିଶା ରୁରାଲ ହାଉସିଂ ଆଣ୍ଡ ଡେଭେଲପମେଂଟ କର୍ପରେସନ ଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର ହେଉଛନ୍ତି ବିନୋଦ କୁମାର । ୧୯୯୯ ମହାବାତ୍ୟା ପରେ ଓଡିଶାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଏହି ଯୋଜନାରେ ନୋଡାଲ ଏଜେନ୍ସି ଭାବେ କାମ କରୁଥିଲା ହୁଡକୋ । ହୁଡକୋ ସହ ରାଜିନାମା କରିଥିଲା ଓଆରଏଚଡିସି । ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ହେରଫେର ହୋଇଥିଲା । ରାଜିନାମାର ସର୍ତ ଖିଲାପ କରି ଗ୍ରାମ୍ୟ ବିକାଶ ମଂଚ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା । ବାଲିପାଟଣା ଅଂଚଳରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଏହି ଅନୁଷ୍ଠାନ ୨୧ଲକ୍ଷ ଟଙ୍କା ଋଣ ନେଇଥିଲା ।

ଋଣ ନେଇଥିଲା ଗ୍ରାମ୍ୟ ବିକାଶ ମଂଚ ଅନୁଷ୍ଠାନ । ହେଲେ ଆଶ୍ରୟସ୍ଥଳୀ ନିର୍ମାଣ ହୋଇନଥିଲା କି ଟଙ୍କା ସୁଝା ଯାଇନଥିଲା । ଏହି ଟଙ୍କାର ସୁଧ ବଢି ଏବେ ୫୫ଲକ୍ଷ ଟଙ୍କାରେ ପହଂଚିଛି । ଏଥିରୁ ସ୍ପଷ୍ଟ ହୋଇଥିଲା କିପରି ଚଞ୍ଚକତା କରିଥିଲେ ବିନୋଦ କୁମାର । ବାତ୍ୟା ଆଶ୍ରୟସ୍ଥଳୀ ବାବଦକୁ ଆସିଥିବା ଟଙ୍କା ହଡପ ଅଭିଯୋଗର ତଦନ୍ତ କରୁଥିଲା ଭିଜିଲାନ୍ସ । ଏହି ଘଟଣାରେ ଭିଜିଲାନ୍ସ ମୋଟ ୨୨ଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ୨୧ଟି ମାମଲା ବିନୋଦ କୁମାରଙ୍କ ନାଁରେ ଥିଲା । ତେବେ ଆଜି ୬୨ ବାଇ ୧୨ ମାମଲାରେ ବିନୋଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ମାମଲା ଗୁଡିକ କୋର୍ଟରେ ବିଚାରାଧୀନ ରହିଛି । ଏହି ଦୁର୍ନୀତି ମାମଲାରେ, ଭିଜିଲାନ୍ସ କୋର୍ଟ ପକ୍ଷରୁ ୬ ଜଣଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା । ବିନୋଦଙ୍କ ସମେତ ଅନ୍ୟ ୫ ଜଣ କୋର୍ଟରେ ହାଜର ହୋଇ ନଥିଲେ । ସେଥିପାଇଁ ବିନୋଦ ଓ ଅନ୍ୟ ୫ ଜଣଙ୍କ ନାଁରେ ଜାମିନ ବିହିନ ଗିରଫ ପରୱାନା ଜାରି ହୋଇଥିଲା । ଆଜି ବିନୋଦ କୁମାର ଏବଂ ପୁର୍ଣ୍ଣଚନ୍ଦ୍ର ଦାସ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

୨୦୦୭ ମସିହାରେ ମାମଲା ରୁଜୁ କରି ୬ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା ଭିଜଲାନ୍ସ । ୨୦୧୧ରେ ଓଆରଏଚଡିସିର ତକ୍ରାଳୀନ ଏମଡି ବିନୋଦ କୁମାରଙ୍କୁ ଗିରଫ କରିଥିଲା ଭିଜଲାନ୍ସ । ଆଇଏଏସ ବିନୋଦ କୁମାରଙ୍କୁ ମଧ୍ୟ ନିଲମ୍ବନ କରିଥିଲେ ରାଜ୍ୟ ସରକାର ।