ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରରେ ଲାଗିଲା ନିଆଁ ! ଜଳିଗଲା ରୋଷଘରର ୧୬ ବଖରା, କେମିତି ଲାଗିଲା ନିଆଁ ଆରମ୍ଭ ହେଲା ଖୋଳତାଡ ।

86

କନକ ବ୍ୟୁରୋ : ପୁରୁଣା ଭୁବନେଶ୍ୱର ଅନନ୍ତବାସୁଦେବ ମନ୍ଦିରର ରୋଷ ଘରେ ଅଗ୍ନିକାଣ୍ଡ । ଜଳିଗଲା ରୋଷଘର ଓ ଚୁଲି । ପ୍ରାୟ ୨ଘଂଟାର ଅକ୍ଲାଂନ୍ତ ପରିଶ୍ରମ ପରେ ନିଆଁ ଲିଭାଇଥିଲା ଅଗ୍ନିଶମ ବିଭାଗ । ହେଲେ ସେତେବେଳକୁ ସବୁ କିଛି ଜଳିଯାଇଥିଲା । ରୋଷ ଘରେ ବାରମ୍ବାର ଏପରି ନିଆଁ ଲାଗୁଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ହୋଇପାରିନାହିଁ ।

ଅନନ୍ତବାସୁଦେବ ମନ୍ଦିରରା ନିଆଁ ଲାଗିବା ପରେ ହୁତ ହୁତ ହୋଇଜଳିଥିଲା ମନ୍ଦିର ରୋଷ ଘର । ଚାହୁଁ ଚାହୁଁ ଜଳିଗଲା ୧୬ବଖରା ରୋଷ ଘର, ୨୪ ଚୁଲି । ସବୁ ପୋଡି ପାଉଁଶ । ଏବେ ଖୋଜା ପଡିଛି, କେମିତି ଲାଗିଲା ନିଆଁ । ଅଗ୍ନିଶମ ଅଫିସର, ବ୍ରାହ୍ମଣ ନିଯୋଗ ସମିତି କେହିବି ନିଆଁ ଲାଗିବାର କାରଣ ପାଉନାହାନ୍ତି । ବରିଷ୍ଠ ସେବାୟତଙ୍କ କହିବା ହେଲା, କେହି ନିଶାଶକ୍ତ ହୋଇ କିମ୍ବା ଇର୍ଷାରେ ନିଆଁ ଲଗାଇଛି ।

ତେବେ ଭୋର ସାଢେ ୩ଟାରେ ହଠାତ ଜଳିଉଠିଥିଲା ମନ୍ଦିର ରୋଷଘର । ଏହା ଜଣାପଡିବା ପରେ ଦମକଳ ବାହିନୀକୁ ଡକାଯାଇଥିଲା । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ୪ଟା ଭିତରେ ୩ଟି ଦମକଳ ବାହିନୀ ସହାୟତାରେ ୨ଘଂଟା ମଧ୍ୟରେ ନିଆଁକୁ ଆୟତ କରାଯାଇଥିଲା । କିନ୍ତୁ ସେତେବେଳକୁ ରୋଷ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ । ତେବେ ଖୁବଶୀଘ୍ର ରୋଷଘର କାମ ଆରମ୍ଭ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ସଂସ୍କୃତି ମନ୍ତ୍ରୀ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯୮୭ ମସିହାରେ ନୂଆ ରୋଷ ଘରର ନାମଫଳକ ଲାଗିଥିଲା । ହେଲେ ୩୨ ବର୍ଷ ମଧ୍ୟରେ କୌଣସି କାମ ଆରମ୍ଭ ହୋଇନାହିଁ । ଚାଳଛପର ଘରେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁନି । ପ୍ରତିଦିନ ୫ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହେଉଥିବା ବେଳେ ଏହା ଅଣଦେଖା ହୋଇରହିଛି ।