ହୋଲି ପାଇଁ ରାଜଧାନୀରେ ରଙ୍ଗର ପସରା ! ହର୍ବାଲ୍ ରଙ୍ଗର ଚାହିଦା ବଢ଼ୁଛି

153

ପ୍ରେମର ଋତୁ ବସନ୍ତରେ ପ୍ରେମର ରଙ୍ଗରେ ଭିଜାଇବା ପାଇଁ ଆସୁଛି ହୋଲି । ତେଣୁ ରାଜଧାନୀରେ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି, ବୟସ୍କ ସମସ୍ତେ ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି । ଏବେଠାରୁ ରାଜଧାନୀର ଗଳିକନ୍ଦିରେ ଖୋଲିଗଲାଣି ରଙ୍ଗର ପସରା ।

ହୋଲିରେ ରଙ୍ଗ ଖେଳାଯାଉଥିଲେ ବି ତାହାର ଦୁଇ ତିନି ଆଗରୁ ବିଭିନ୍ନ ଅନୁଷ୍ଠାନ, ସ୍କୁଲ, କଲେଜ, ଅଫିସରେ ରଙ୍ଗ ଖେଳିବା ଧାରା ଏଇ କିଛି ବର୍ଷ ହେବ ଆରମ୍ଭ ହୋଇଛି । ଯେହେତୁ ହୋଲିରେ ଛୁଟି ପଡ଼େ, ତେଣୁ ବନ୍ଧୁମାନଙ୍କ ସହ ଆଗୁଆ ରଙ୍ଗରେ ରଙ୍ଗିନ ହେବାର ସୁଯୋଗକୁ କେହି ହାତଛଡ଼ା କରନ୍ତି ନାହିଁ । ଏଭଳି ଧାରାକୁ ନଜରରେ ରଖି ଦୋକାନୀମାନେ ଆଗୁଆ ରଙ୍ଗ ବିକ୍ରି ଆରମ୍ଭ କରିଦେଇଛନ୍ତି । ହଳଦୀ, ନାଲି, ନୀଳ, ବାଇଗଣି, ଗୋଲାପି ପରି ଅନେକ ରଙ୍ଗରେ ନିଜ ଦେକାନ ଭର୍ତ୍ତି କରିସାରିଲେଣି । ଅବିର କିଲୋ ୧୨୦ ଟଙ୍କା ଥିବା ବେଳେ ୧୦୦ ଗ୍ରାମ ପୁଡ଼ିଆ ୧୫ରୁ ୨୦ ଟଙ୍କା ଭିତରେ ବିକ୍ରି ହେଉଛି ।

ଏବର ଯୁବପିଢ଼ି ନିଜ ଶରୀର ଓ ତ୍ୱଚାକୁ ନେଇ ସଚେତନ ଥିବାରୁ ବଜାରରୁ ରାସାୟନିକ ରଙ୍ଗ ବଦଳରେ ହର୍ବାଲ ରଙ୍ଗ କିଣୁଛନ୍ତି । ତେଣୁ ଦୋକାନୀମାନେ ବହୁତ ପରିମାଣରେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି । ଏହାର ଦାମ୍‌ ୧୩୦ ଟଙ୍କା ରହିଛି । ଏହି ପ୍ୟାକେଟ ଭିତରେ ବିଭିନ୍ନ ରଙ୍ଗ ଉପଲବ୍ଧ ବୋଲି ମାର୍କେଟ ବିଲ୍‌ଡିଂରେ ଦୋକାନ ପକାଇଥିବା ପ୍ରମୋଦ ସିଂହ କୁହନ୍ତି । ଏହା ସହିତ ହୋଲିର କୁପ୍ରଭାବରୁ ଆଖି ଓ ମୁହଁକୁ ରକ୍ଷା କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳୁଛି । ଏହାର ଦାମ୍‌ ୩୦ଟଙ୍କାରୁ ଆରମ୍ଭ ହୋଇ ୧୫୦ଟଙ୍କା ପର୍ଯ୍ୟନ୍ତ ରହିଛି । ଛୋଟ ପିଲାଙ୍କ ପାଇଁ ଡୋରେମନ, ବନ୍ଧୁକ, ରଙ୍ଗ ଥିବା ପାଣି ବଲ୍‌ର ମଧ୍ୟ ବେଶ୍‌ ଚାହିଦା ରହିଛି ।