ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହୋଇଉଠିଛି ପୁରୀ ସମୁଦ୍ର : ଭୟାନକ ସ୍ଥିତି ଯୋଗୁଁ ପର୍ଯ୍ୟଟକଙ୍କ ସ୍ନାନ କରିବା ଉପରେ ବାରଣ

41

କନକ ବ୍ୟୁରୋ : ଗତ ଦୁଇ ଦିନ ହେବ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଜନଜୀବନକୁ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜଳବନ୍ଦୀ ହୋଇପଡ଼ିଛନ୍ତି ଲୋକେ । ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ତେବେ ସେପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ଗତକାଲି ତୁଳନାରେ ଆଜି ସମୁଦ୍ର ଅଧିକ ଜୁଆରିଆ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତି ୬ ସେକେଣ୍ଡରେ ଜୁଆର ଆସୁଛି । ଜୁଆରର ଉଚ୍ଚତା ୩ ଫୁଟ୍ରୁ ଅଧିକ ରହୁଛି । ସମୁଦ୍ର ଲହଡିରେ ଅଣ୍ଡର କରେଣ୍ଟ ରହୁଛି । ସମୁଦ୍ରର ଭୟାନକ ସ୍ଥିତି ଯୋଗୁ ପର୍ଯ୍ୟଟକମାନେ ବର୍ତ୍ତମାନ ସ୍ନାନ କରିବା ଉପରେ ବାରଣ କରାଯାଇଛି । ଗତକାଲି ରଥଯାତ୍ରାରେ ସମୁଦ୍ରରେ ଗାଧୋଇଲା ବେଳେ ୩୭ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଏ ନେଇ ପାଣିପାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ବାରଣ କରାଯାଇଛି ।

ସେପଟେ ପୁରୀରେ ଲଗାଣ ବର୍ଷା ଯୋଗୁଁ ମାର୍କଣ୍ଡ ପୋଖରୀର ପାଚେରୀ ଭାଙ୍ଗି ଯାଇଛି । ୧୦୦ଫୁଟର ଏହି ପାଚେରୀ ଭାଙ୍ଗି ଗଳିପଡିଛି । ଫଳରେ ଏକ ନମ୍ବର ୱାର୍ଡ ଉପରେ ବିପଦ ରହିଥିବା ଖବର ମିଳିଛି । ପୁରୀର ପଂଚତୀର୍ଥ ମଧ୍ୟରୁ ଏହି ପୁସ୍କରିଣୀ ଅନ୍ୟତମ । ଏହି ଘଟଣା ପରେ ପୁରୀ ଗୋଶାଲାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଚେରୀ ଭୁଶୁଡିବା ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଂଚିପାରିନାହାନ୍ତିା ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ବି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।