ଚାଷ ଜମିରେ ସମୁଦ୍ରର ଭ୍ରମ ! ଧାନ ବିଲରେ ମାଡିଲା ଲୁଣି ପାଣି, ଚାଷ ନହୋଇ ପଡ଼ିଆ ପଡ଼ିବ ଶହ ଶହ ହେକ୍ଟର ଚାଷ ଜମି

70

କନକ ବ୍ୟୁରୋ : ଚାଷଜମିରେ ମାଡ଼ିଗଲା ଲୁଣିପାଣି । ଚାଷ ନହୋଇ ପଡ଼ିଆ ପଡ଼ିବ ଶହ ଶହ ହେକ୍ଟର ଚାଷ ଜମି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବା କାରଣରୁ ସମୁଦ୍ରକୁଳିଆ ଅଂଚଳକୁ ଲୁଣିପାଣି ମାଡ଼ିଆସିଛି । ଏଭଳି ସ୍ଥିତିରେ କିଭଳି ଚାଷ କାମ ହେବ ତାକୁ ନେଇ ଚିନ୍ତାରେ ଚାଷୀ ।

ସମୁଦ୍ରରେ ଯେପରି ମିଶିଯାଇଛି ଗାଁ ଆଉ ଧାନକ୍ଷେତ । ମାଇଲ୍ ମାଇଲ୍ ବ୍ୟାପି ମାଡ଼ିଯାଇଛି ସମୁଦ୍ରର ଲୁଣିପାଣି । ବାଲେଶ୍ୱର ବାଲିଆପାଳ ବ୍ଲକର ଡଗରା ଓ ଚୌମୁଖ ପଂଚାୟତରେ କୂଳ ଲଙ୍ଘିଛି ସମୁଦ୍ର । ବଙ୍ଗୋପସାଗର ଉପକୁଳରେ ଅବସ୍ଥିତ ଦୁଇ ଗାଁରେ ସମୁଦ୍ର ମାଡ଼ିଆସିଛି । ଚାଷଜମିରେ ଲୁଣିପାଣି ରହିବା କାରଣରୁ ଚାଷକାମ ଆଗେଇପାରୁନାହିଁ । ତେବେ ପ୍ରତିବର୍ଷ ଲୁଣିପାଣି ଚାଷଜମିକୁ ଆସିଲେ ବି କ୍ରମେ ଜଳ ନିଷ୍କାସନ ହୋଇ ଚାଷ ହୋଇଥାଏ କିନ୍ତୁ ଅତ୍ୟଧିକ ଚିଙ୍ଗୁଡ଼ିଘେରି ଯୋଗୁ ଏଥରକ ବଦଳିଛି ସ୍ଥିତି । ଜମିରେ ଲୁଣି ପାଣି ରହିବା ଯୋଗୁ ୬ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଜମି ପଡ଼ିଆ ପଡ଼ିବାର ଆଶଙ୍କା ଦେଖାଦେଇଛି ।

ବାଲିଆପାଳ ବ୍ଲକର ଡଗରା, ଚୌମୁଖ, ନୂଆଗାଁ ଓ ହଂସକରା ପଂଚାୟତରେ ବେଆଇନ୍ ଭାବେ ହଜାର ହଜାର ଚିଙ୍ଗୁଡ଼ିଘେରି ନିର୍ମାଣ କରିଛନ୍ତି ମାଫିଆ । ପ୍ରଶାସନ ଓ ନେତାଙ୍କୁ ହାତବାରିଶି କରି ମାଫିଆ ଘେରି ନିର୍ମାଣ ସହ ଉପକୁଳରେ ଥିବା ଜଙ୍ଗଲଜମି ଓ ଚାରଣ ଭୂମିକୁ ଅବରୋଧ କରିଛନ୍ତି । ଯେଉଁ କାରଣରୁ ଲୁଣିପାଣି ସମୁଦ୍ରରୁ ଆସିବା ପରେ ଆଉ ଫେରିପାରୁନାହିଁ ଓ ଚାଷ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି ।ସମୁଦ୍ରରେ ଉଚ୍ଚ ଜୁଆର ଆସିବା କାରଣରୁ ବାଲିଆପାଳ ବ୍ଲକର ପାଖାପାଖି ୧୫ଟି ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଅନ୍ୟପଟେ ଏ ନେଇ ପ୍ରଶାସନକୁ ସୂଚନା ଦିଆଯିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି ।