ଏବେ ବିପଦ ମୁହଁରେ ଛାତି ପତେଇ ଛିଡା ହେଉଛି ବଣ । ଆଗକୁ ବାତ୍ୟା ପାଟିରେ ବିଲୀନ ହୋଇଯିବ ହେନ୍ତାଳ ବଣ ?

325

କନକ ବ୍ୟୁରୋ: ଜଙ୍ଗଲ ମରୁଛି, ଜୁଆର ମାଡୁଛି । ହଜିବାକୁ ବସିଲାଣି ହେନ୍ତାଳ ବଣ ! ସର୍ବନାଶ ହେଲାଣି ସୁରକ୍ଷା କବଚ ? ଯେବେଯେବେ ସମୁଦ୍ର ଉଗ୍ରରୂପ ଧାରଣ କରିଛି । ଭୟଙ୍କର ରୂପ ନେଇ ସ୍ଥଳ ଭାଗକୁ ମାଡି ଆସିଛି । ଆଉ ବାତ୍ୟା ବିକଟାଳ ଗର୍ଜନ କରି ବଡ ବଡ ଜୁଆର ସହ ପ୍ରଳୟ ସୃଷ୍ଟି କରିଛି ସେବେସେବେ ବିପଦ ମୁହଁରେ ଛାତି ପତେଇ ଛିଡା ହୋଇଛି ବଣ । ପ୍ରାଣୀ ଜଗତକୁ ବଞ୍ଚାଇବା ପାଇଁ ସୁରକ୍ଷା କବର ସାଜିଛି ହେନ୍ତାଳ ବଣ । ସେ ୧୯୭୧ ହେଉ କି ୧୯୮୨, ଅବା ହେଉ ୧୯୯୯ରେ ମହାବାତ୍ୟାର ମହାତାଣ୍ଡବ । ବଡ ବଡ ବିପର୍ଯ୍ୟୟରୁ ଉପକୂଳ ଓଡିଶାକୁ ସୁରକ୍ଷା ଦେଇଛି ଏହି ଲୁଣାଜଙ୍ଗଲ । ସଜସଜ ସମୁଦ୍ର ଭିତରୁ ସାଙ୍ଘାତିକ ଭାବେ ମାଡି ଆସୁଥିବା ବାତ୍ୟା ୟାସକୁ ବି ନିଜ ଆୟତ୍ତରେ ରଖିନେଲା ସୁଦୀର୍ଘ ହେନ୍ତାଳ ବଣ । ଯେଉଁଥି ପାଇଁ ଖାଲି କେନ୍ଦ୍ରାପଡା ନୁହେଁ ଅଳ୍ପକେ ବର୍ତ୍ତିଗଲା ଉପକୂଳ ଓଡିଶା ଆଉ ବଞ୍ଚିଗଲା ଅନେକ ଧନ ଜୀବନ…

ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ତ୍ରିକୋଣଭୂମୀରେ ଅବସ୍ଥିତି ଭିତରକନିକା ହେନ୍ତାଳବଣ । ଏହା ବିଶ୍ୱର ୨ୟ ବୃହତମ ବିସ୍ତାରିତ ଲୁଣାଜଙ୍ଗଲ । ବଡ ବଡ ଗଛ ଓ ଘଞ୍ଚ ଅରଣ୍ୟ ପାଇଁ ଏବା ସବୁଦ୍ରିକ ବିପତ୍ତିରୁ ସୁରକ୍ଷା ଦେଇଥାଏ । ଧାମରା ମୁହାଁଣଠୁ ବରୁଣେଇ ମୁହାଁଣ ଯାଏଁ ୬୭୨ ବର୍ଗ କିଲୋମିଟର ବିସ୍ତାରିତ ଲୁଣାଜଙ୍ଗଲ ପରିବେଶ ସନ୍ତୁଳନ ସହ ଜୈବ ବିବିଧତା ଏବଂ ସାମୁଦ୍ରିକ ଝଡବାତ୍ୟା ଏବଂ ସମୁଦ୍ରରେ ଉଠୁଥିବା ଜୁଆର ଓ ପବନକୁ ରୋକିବାରେ ସମର୍ଥ ହୋଇଥାଏ । ହେଲେ ଏବେ ଧିରେଧିରେ ହଜିବାକୁ ବସିଲାଣି ହେନ୍ତାଳ ବଣ । ଲୁଣାଜଙ୍ଗଲ ଲୋପ ପାଇବାକୁ ବସିଥିବାରୁ ଏବେ ଉପକୂଳ ପ୍ରତି ଅଧିକ ବିପଦ ବଢୁଛି । ହେନ୍ତାଳ ବଣର ଅନନ୍ୟ ଅବଦାନକୁ ସ୍ୱାର୍ଥପର ମଣିଷ ବୁଝି ପାରୁନଥିବା ବେଳେ ଏହାକୁ ନଷ୍ଟ କରି ଚାଲିଛି । ଯାହା ମାନବ ଜାତି ପାଇଁ ଆଗାମୀ ଦିନରେ ବୁମେରାଂ ସାଜିପାରେ…

ତେବେ ଜଙ୍ଗଲ ଅବକ୍ଷୟର ମୁଖ୍ୟ କାରଣ ପାଲଟିଛି ଚିଙ୍ଗୁଡି ଚାଷ । ମଣିଷ ନିଜର ଆବଶ୍ୟକତା ମେଣ୍ଟାଇବାକୁ ବିରାଟ ବିରାଟ ଜଙ୍ଗଲ କାଟି ପଦା କରି ପକାଉଛି । ଚିଙ୍ଗୁଡି ଘେରି ପାଇଁ ଜଙ୍ଗଲ ସଫା କରି ଗଛ କାଟି ଦେଉଥିବାରୁ ସମୁଦ୍ର କୂଳରେ ମାଳ ମାଳ ଥୁଣ୍ଟା ଗଛ ସର୍ବନାଶର ସାକ୍ଷୀ ପାଲଟିଛି । ଦିନେ ଯେଉଁ ଘଞ୍ଚ ଜଙ୍ଗଲ ସମୁଦ୍ରର ଜୁଆରକୁ ରୋକିବାରେ ସକ୍ଷମ ଥିଲା ଆଜି ଗଛ କଟାଯିବା ପରେ ଜଳ ସ୍ଥଳ ଭାଗକୁ ମାଡିଆସିବାକୁ ଧମକ ଦେଉଛି ।

ନଳକୂପକୁ ଜଙ୍ଗଲ ବିନାସର ମୁକସାକ୍ଷୀ ସାଜିଛି । ହେନ୍ତାଳ ବଣ ହାଣି ନଷ୍ଟ କରିବା ପରେ ଧିରେଧିରେ ଜୁଆର ମାଟି, ବାଲି ଗଭୀର ସମୁଦ୍ରକୁ ଧୋଇନେଇଛି ଆଉ ନଳକୂପର ନଗ୍ନ ଚିତ୍ର ଛାଡିଯାଇଛି । ୧୯୭୧ ମସିହା ମହାବାତ୍ୟାରେ ରାଜନଗର ସାତଭାୟା ଅଂଚଳର ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁବରଣ କରିଥିଲେ । ସେଥିପାଇଁ ୧୯୭୨ ମସିହାରେ ଭିଏତନାମାର ଏକ୍ସପର୍ଟ ମାନେ ମତ ଦେଇଥିଲେ ଯେ ସମୁଦ୍ର ଉପକୂଳରେ ଘଂଚ ହେନ୍ତାଳବଣର ଆବଶ୍ୟକତା ରହିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଲୁଣାଜଙ୍ଗଲର ଅପରାଜୟ ଶକ୍ତି ରହିଛି । ତେଣୁ ସରକାର ହେନ୍ତାଳବଣ ସୃଷ୍ଟି ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲେ ବି ଲୋପ ପାଇଥିବା ଜଙ୍ଗଲରେ ଆଖି ଦୃଶିଆ ବୃକ୍ଷରୋପଣ ହୋଇନି କି ହେନ୍ତାଳ ବଣ ସୃଷ୍ଟି କରାଯାଇନି ।

ଚିଙ୍ଗୁଡି ଘେରି ଜଙ୍ଗଲ ନଷ୍ଟର କାରଣ ପାଲଟୁଥିବା ବେଳେ ଏହାକୁ ଉଚ୍ଛେଦ କରି ଲୁଣା ଜଙ୍ଗଲକୁ ସୁରକ୍ଷା ଦେଲେ ଆଗାମୀ ଦିନରେ ୟାସ ବାତ୍ୟା ପରି ବଡ ବଡ ବିପଦରୁ ବି ମଣିଷ ସମାଜର ସୁରକ୍ଷା କବଚ ସାଜିବ ହେନ୍ତାଳବଣ ।