ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ : ଜୁନ୍‌ ୫ ଓ ୬ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା

32

କନକ ବ୍ୟୁରୋ : ଜୁନ୍‌ ୫ ଓ ୬ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତରରେ ବର୍ଷିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ । କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ରହିଛି । ତାମିଲନାଡ଼ୁ ସମେତ ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ମିଜୋରାମ, ଆସାମ ଓ ଅରୁଣାଞ୍ଚଳ ପ୍ରଦେଶରେ ମୌସୁମୀ ବର୍ଷ ଜାରି ରହିଛି । ମେ’ ୪ରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ରୟାଲସୀମା, କେରଳ ସମେତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । ୫ ତାରିଖ ବେଳକୁ ଓଡ଼ିଶା ସମେତ ଉପକୂଳ ଆନ୍ଧ୍ର, କର୍ଣ୍ଣାଟକ, କେରଳ, କୋଙ୍କଣରେ ପ୍ରବଳ ବର୍ଷା ହେବ । ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କହୁଛି, ସୋମବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତର ଆଶଙ୍କା ରହୁଛି । ୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଅନୁଗୁଳ, ପୁରୀ, କଟକ, ଖୋର୍ଧାରେ କାଳବୈଶାଖୀ ହୋଇପାରେ। ମେ’ ୬ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ଏହାପରେ ପାଗରେ କିଛିଟା ପରିବର୍ତନ ଆସିବ ବୋଲି କେନ୍ଦ୍ରର ଭାରପ୍ରାପ୍ତ ନିର୍ଦେଶକ ଏଲ୍‌.ଡି. ମହାପାତ୍ର କହିଛନ୍ତି ।