ଜଣେ ନିଆରା ଶିକ୍ଷକଙ୍କ କାହାଣୀ: ଜଙ୍ଗଲକୁ ସୁରକ୍ଷା ଦେବା ସହ ୩୦ ଏକର ଜାଗାରେ କରିଛନ୍ତି ଗୋଲମରିଚ ଚାଷ

121

କନକ ବ୍ୟୁରୋ: ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଉଛି ଜନସଂଖ୍ୟା । ପ୍ରାକୃତିକ ବିପର୍ଯ୍ୟୟ ଓ କାଠ ମାଫିଆଙ୍କ ପାଇଁ ଅନେକ ସମୟରେ ଜଙ୍ଗଲ ମଧ୍ୟ ଧ୍ୱଂସ ହେଉଛି । ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ସରକାର । ତଥାପି ଏବେ ମଧ୍ୟ ଅନେକ ସ୍ଥାନରେ ପୋଡୁଚାଷ ଓ କାଠ ମାଫିଆଙ୍କ ପାଇଁ ଅନେକ ସ୍ଥାନରେ ପାହାଡ଼ ଓ ସବୁଜ ବନାନୀ ଜଙ୍ଗଲ ନଷ୍ଟ ହେଉଛି । ଗଜପତି ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଶିକ୍ଷକତା ସାଙ୍ଗକୁ ଜଙ୍ଗଲ ସୁରକ୍ଷା ଓ ଗୋଲମରିଚ ଚାଷ କରି ରୋଜଗାରର ନୂଆ ପନ୍ଥା ଆପଣାଇଛନ୍ତି । ଦେଖନ୍ତୁ ଗଜପତି ଜିଲ୍ଲା ମୋହନାରୁ ଜଣେ ନିଆରା ଶିକ୍ଷକଙ୍କ ବ୍ୟକ୍ତିତ୍ୱର କାହାଣୀ ..

ଜଙ୍ଗଲ ଭିତରେ ଶିକ୍ଷକଙ୍କ ଗୋଲମରିଚ ଚାଷ । ଶିକ୍ଷକତା ସହିତ ଜଙ୍ଗଲ ସୁରକ୍ଷାର ବାର୍ତା ଦେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଳକ ମଲିପଦର ଗାଁର କରଣସିଂ ପ୍ରଧାନ । ପେସାରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷାକୁ ନିଜର ନିଶା କରିଛନ୍ତି । ୨ଶହ ହେକ୍ଟର ଜଙ୍ଗଲରେ ଥିବା ଶାଳ, ପିଆଶାଳ, ଶାଗୁଆନ ଭଳି ବହୁ ମୁଲ୍ୟବାନ ଗଛକୁ ସୁରକ୍ଷା ଦେବା ସହ ୩୦ ଏକର ଜାଗାରେ ଥିବା ୨ ହଜାରରୁ ଉର୍ଦ୍ଦ ସର୍ଗି ଗଛରେ ଗୋଲ ମରିଚ ଚାଷ କରିଛନ୍ତି । କରଣ ସିଂ ତାଙ୍କ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି କାମକୁ ଆପଣାଇଛନ୍ତି ।

ମଲ୍ଲିପଦର ଗାଁ ନିକଟରେ ଥିବା ଏହି ଜଙ୍ଗଲକୁ କାଠ ମାଫିଆ ମାନେ ନିଜ ଅକ୍ତିଆରକୁ ନେଇ ମୁଲ୍ୟବାନ ଗଛ ନଷ୍ଟ କରିବାକୁ ବସିଥିବା ବେଳେ ଜଙ୍ଗଲକୁ ସୁରକ୍ଷା ପାଇଁ ଅଂଟା ଭିଡ଼ିଥିଲେ ସରକାରଙ୍କ ଦ୍ୱାରା ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ହୋଇଥିବା କରଣସିଂଙ୍କ ବାପା ବ୍ରାହ୍ମଣ ସିଂ । କାଠ ମାଫିଆଙ୍କ ସହ ଲଢେଇ କରି ୧୫ ବର୍ଷ ତଳେ ନିଜ ଜୀବନ ହାରିଛନ୍ତି କରଣ ସିଂଙ୍କ ବାପା । ବାପା ଚାଲିଯିବା ପରେ ତାଙ୍କ ନିତି ଓ ଆଦର୍ଶକୁ ପାଳନ କରି ଜଙ୍ଗଲ ସୁରକ୍ଷା କରିବା ସହ ଲୋକଙ୍କୁ ଜଙ୍ଗଲ ଆମର ସମ୍ପଦ ବୋଲି ସଚେତନ କରୁଛନ୍ତି । ଯାହା ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ।

ପୂର୍ବରୁ ଏହି ଅଂଚଳରେ ଅନେକ ପାହାଡ଼ରେ ପୋଡ଼ୁ ଚାଷ କରିବା ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିଲା । ଏବେ ଶିକ୍ଷକ କରଣ ସିଂ ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ଅଂଚଳବାସୀ । ପୋଡ଼ୁ ଚାଷ ବନ୍ଦ ହେବା ସହ କାଠ ମାଫିଆଙ୍କ ଦୌରାତ୍ମ୍ୟ ମଧ୍ୟ କମିଛି ।

ଉପଯୁକ୍ତ ବଜରର ସୁବିଧା ନଥିବାରୁ କମ୍ ଟଙ୍କାରେ ଗୋଲମରିଚ ବିକ୍ରି କରି କ୍ଷତି ସହୁଥିବା କହିଛନ୍ତି କରଣ ସିଂ । ଯଦି ସରକାର ଗୋଲମରିଚ ବିକ୍ରି ପାଇଁ କୌଣସି ସୁବିଧା ସହିତ ଉତମ ତାଲିମ ଯୋଗାଇଦିଅନ୍ତେ ତେବେ ସେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।