ଆଇସକ୍ରିମ୍ ବ୍ୟବସାୟ ଦେଉଛି ରୋଜଗାର: ୧୦ଟି ପରିବାରକୁ ରୋଜଗାର ଦେଉଛି ଆଇସକ୍ରିମ୍ କାରଖାନା

125

କନକ ବ୍ୟୁରୋ: ଆଇସକ୍ରିମ୍ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ.. ଆଉ ଖରା ଦିନେ ଏହାର ମଜା ଟିକେ ନିଆରା । ଖରା ଗରମରେ ଲୋକେ ଆଇସକ୍ରିମ ଖାଇ ଗରମରୁ ଆସ୍ୱସ୍ତି ପାଇଥାଆନ୍ତି । ସେଥିପାଇଁ ଅନ୍ୟ ସିଜିନ୍ ଅପେକ୍ଷା ଖରା ସିଜିନ୍ରେ ଏହାର ଚାହିଦା ଅଧିକ ରହିଥାଏ । ତେବେ ଆଠଗଡ଼ ଗୁରୁଡ଼ିଝାଟିଆ ଅଂଚଳରେ ଥିବା ଏକ ଆଇସକ୍ରିମ୍ କାରଖାନା ଏବେ ୧୦ଟି ପରିବାରକୁ ରୋଜଗାରକ୍ଷମ କରାଇଛି । ୨୦୦୨ ମସିହାରେ ମାତ୍ର ୨ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ଆଇସକ୍ରିମ୍ କାରଖାନା ଏବେ ୧୦ ଲକ୍ଷ ଟଙ୍କାରେ ପହଂଚିଛି ।

ଗୁରୁଡ଼ିଝାଟିଆ ପଂଚାୟତ ଅଧିନରେ ଥିବା ଛୋଟିଆମ୍ବ ଗାଁର ଦିନେଶ ସାହୁ ଏହି କାରଖାନା ଆରମ୍ଭ କରିଥିବା ବେଳେ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ସ୍ତ୍ରୀ କାବେରୀ ସାହୁ । ଘର କାମ କରିବା ସହିତ ଆଇସକ୍ରିମ୍ କାରଖାନା ବୁଝାସୁଝାରେ ସ୍ୱାମୀଙ୍କୁ ସହାୟତା କରନ୍ତି କାବେରୀ ।

ରାତି ପାହିଲେ ଦିନେଶଙ୍କ ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ବେପାରୀଙ୍କ ଗହଳି ଦେଖିବାକୁ ମିଳିଥାଏ । ଫ୍ୟାକ୍ଟିି୍ରରୁ ଆଇସକ୍ରିମ୍ ନେଇ ସ୍ଥାନୀୟ ଅଂଚଳରେ ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରନ୍ତି ବ୍ୟବସାୟୀ । ପାଖାପାଖି ୧୦ଟି ଗାଡ଼ିରେ ବେପାର କରିବା ପାଇଁ ବେପାରୀ ମାନେ ଆଇସକ୍ରିମ୍ ଲୋଡ଼ କରି ନେଇଥାଆନ୍ତି । କୋନ, ଚକୋବାର, ଜୁଶ୍, ଦହି, କପ୍ ଭଳି ବିଭିନ୍ନ ପ୍ରକାରର ଆଇସକ୍ରିମ୍ ଏଠାରେ ମିଳିଥାଏ । ଅମୁଲ, ଦହି, ଚିନି, କଦଳୀ ନଡ଼ିଆ ଆଦି ବିଭିନ୍ନ ପ୍ରକାର ଉପକରଣ ମିଶ୍ରଣ କରି ଏହାକୁ ପ୍ରସ୍ତୁତ କରାଯାଉଥିବା ବେଳ ଏହାର ସ୍ୱାଦ ବେଶ ଭଲ ରହିଥାଏ । ତେଣ ୁ ବେପାର ମଧ୍ୟ ଭଲ ହେଉଥିବା କୁହନ୍ତି ବ୍ୟବସାୟୀ ।

ଦିନ ଯାକ ମୁଲ ମଜୁରୀ ଲାଗିବା ଅପେକ୍ଷା ୨ରୁ ୩ଘଂଟା ସମୟ ନେଇ ୫୦୦ରୁ ୬୦୦ ଟଙ୍କା ରୋଜଗାର ହେଉଥିବା କୁହନ୍ତି ଆଇସକ୍ରିମ୍ ବେପାର କରୁଥିବା କର୍ମଚାରୀ । ଯାହା ଦ୍ୱାରା ତାଙ୍କର ପରିବାର ମଧ୍ୟ ଭଲରେ ପ୍ରତିପୋଷଣ ହୋଇପାରୁଛି । ରୋଜଗାର କରିବା ପାଇଁ ଅନ୍ୟ ଉପରେ ନିର୍ଭର ନକରି ନିଜେ ଆଇସକ୍ରିମ୍ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।