ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଜଳପ୍ରଳୟ। ପାଣି ଘେରରେ ହଜାର ହଜାର ଲୋକ, ୬୯ଜଣଙ୍କର ମୃତ୍ୟୁ ସୂଚନା।

187

କନକ ବ୍ୟୁରୋ: ଗୁଜରାଟରେ ପ୍ରବଳ ବର୍ଷା । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଲଗାତର ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ପାଣିରେ ଫସିରହିଥିବା ୩ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଲଗାତର ବର୍ଷା ଯୋଗୁଁ ସବୁଆଡେ ପାଣି ଜମିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗୁଜରାଟରେ ସବୁଆଡେ ପାଣି ଆଉ ଖାଲି ପାଣି । ଲଗାତର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳମଗ୍ନ ହୋଇଛି । ଗୋଟିଏ ପଟେ ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ଫୁଲିବାକୁ ଲାଗିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୁଜରାଟର ଅହମଦାବାଠାରୁ ଆରମ୍ଭ କରି ଭଲସାଡ ପର୍ଯ୍ୟନ୍ତ ସବୁଆଡେ ମାଡିଯାଇଛି ବର୍ଷା ପାଣି । ଭଲସାଡରେ ପାଣି ଭିତରେ ବୁଡି ରହିଥିବା ଗୋଟିଏ ଘର ଉପରେ ଆଶ୍ରୟ ନେଇଥିବା କିଛି ଲୋକଙ୍କୁ ଉଦ୍ଧାର କରିଛି କୋଷ୍ଟଗାର୍ଡ । କୋଷ୍ଟଗାର୍ଡର ହେଲିକପ୍ଟର ସାହାଯ୍ୟରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଆପଣ ଦେଖୁଛନ୍ତି ଉଦ୍ଧାର ସମୟର ଭିଜୁଆଲ । କିପରି ସବୁଆଡେ ପାଣ ମାଡି ଯାଇଥିବା ବେଳେ ଗୋଟିଏ ଘର ଛାତ ଉପରେ କିଛି ଲୋକ ଆଶ୍ରୟ ନେଇଛନ୍ତି । ତାଙ୍କୁ ଉଦ୍ଧାର କରିଛି କୋଷ୍ଟଗାର୍ଡ ।

ସେପଟେ ମହାରାଷ୍ଟ୍ର ବି ସମାନ ସ୍ଥିତି । ବର୍ଷା ପାଣିରେ ବୁଡିଯାଇଛି ଘର ଦ୍ୱାର ଓ ମନ୍ଦିର । ମହାରାଷ୍ଟ୍ର ନାସିକ ସହରରେ ପ୍ରବଳ ବର୍ଷା ଯୋଗୁଁ ସବୁଆଡେ ଖାଲି ପାଣି ଜମିଛି । ଗୋଦାବୀ ନଦୀରେ ଜଳସ୍ତର ବଢିବା ଯୋଗୁଁ ଅନେକ ମନ୍ଦିର ପାଣି ବୁଡି ରହିଛି । ନାସିକରେ ଲଗାତର ୩ଦିନ ହେଲା ବର୍ଷା ଲାଗିରହିଛି । ବନ୍ୟା ପାଣିରେ ମନ୍ଦିର ଗୁଡିକ ପାଣି ଭିତରେ ଅଧାରୁ ଅଧିକ ବୁଡି ରହିଛି ।

ସେହିପରି ତେଲେଙ୍ଗାନାରେ ବି ଲାଗି ରହିଛି ଲଗାଣ ବର୍ଷା । ଲଗାତର ବର୍ଷା ଫଳର ଗୋଦାବରୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଗୋଦାବରୀ ନଦୀ । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ଟ୍ରେନ ବାତିଲ କରାଯାଇଛି । ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ପାଖାପାଖି ୩୪ଟି ଟ୍ରେନକୁ ବାତିଲ କରାଯାଇଛି ।

ଲଗାଣବର୍ଷା ମାଡରେ ମଧ୍ୟପ୍ରଦେଶ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଦିଶାରେ ବିଶାଳ ଆପାଟମେଂଟର କିଛି ଫ୍ଲୋର ଭିତରେ ପାଣି ପଶିବା ଯୋଗୁଁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । କାଗଜ ଡଙ୍ଗା ପରି କେଉଁଠି କାର ଭାସୁଛି ତ ପୁଣି କେଉଁଠି ବର୍ଷା ପାଣି ପଶିବା ଯୋଗୁଁ ଡାକ୍ତରଖାନାରେ ରୋଗୀ ଛଟପଟ ହେଉଛନ୍ତି ।