ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ପହିଲାରୁୁ ଖୋଲିବ ଅଙ୍ଗନୱାଡି, ବିବାହ ଓ ଶେଷକୃତ୍ୟରେ ସାମିଲ ହୋଇପାରିବେ ୫୦୦ ଜଣ ।

480

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଫେବ୍ରୁଆରୀ ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ ଅନୁଯାୟୀ, ୧ ଫେବ୍ରୁଆରୀରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଜଣ ସାମିଲ ହେବାକୁ ଅନୁମତି ମିଳିଥିବା ବେଳେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ ।

ସେହିଭଳି ଅନ୍ୟ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ ।ପ୍ରାଇମେରୀ ସ୍କୁଲ ଖୋଲିବା ନେଇ ଏସଓପି ଆଣିବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଇଞ୍ଜିନିୟରିଂ କଲେଜ ଗୁଡିକ ଖୋଲିବା ନିଷ୍ପତ୍ତି ନେବ ବୈଷୟିକ ଶିକ୍ଷା ବିଭାଗ । ଅନଲାଇନ ପାଠ୍ୟକ୍ରମ ସେହିଭଳି ଜାରି ରହିବ ବୋଲି କୁହାଯାଇଛି ।

ଏହାବାଦ୍ ବନ୍ଦ କୋଠରୀରେ ୫୦% ଲୋକଙ୍କୁ ନେଇ ଚାଲିପାରିବ ବିଭିନ୍ନ କାର୍ଯ୍ୟକ୍ରମ । ଖୋଲା ପଡିଆର ଆକାର ଦେଖି ବିଭିନ୍ନ ସମାଗମ ପାଇଁ ମିଳିବ ଅନୁମତି ।ସମାଗମରେ ସମସ୍ତେ କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଇଛି । ଯାତ୍ରା,ଅପେରା ଆରମ୍ଭ ପାଇଁ ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି । ପୂର୍ବ ନିର୍ଦ୍ଧାରିତ ଏସଓପି ଅନୁଯାୟୀ, ସିନେମା ହଲ, ଥିଏଟର ସେମିତି ଚାଲୁ ରହିବ ।