ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ କିଣାଯିବ ୩୮ଲକ୍ଷ ୫୦ହଜାର ଡୋଜ୍ ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

255

କନକ ବ୍ୟୁରୋ : ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ । ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ । ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଏହାରି ଭିତରେ ଭୁବନେଶ୍ୱରରେ ପହଂଚିଲା କରୋନା ଟିକା । କୋଭିସିଲ୍ଡର ଟିକାର ୪୦ ହଜାର ୮ଶହ ଭାୟାଲ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି । ସ୍ପାଇସ୍ ଜେଟର ସ୍ୱତନ୍ତ୍ର ବିମାନରେ ୩୪ଟି ଭ୍ୟାକସିନ୍ ପ୍ୟାକେଟରେ ପ୍ରାୟ ୧୨ଶହ କେଜି ଓଜନର ଟିକା ଆଜି ଅପରାହ୍ନ ପ୍ରାୟ ୩.୪୦ ମିନଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ପରେ ୩ଟି ଭ୍ୟାନରେ ବିମାନ ବନ୍ଦରରୁ କୋଭିସିଲଡ ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଛି ।

ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ୪୦ ହଜାର ୮ ଶହ କୋଭିସିଲଡ ଟିକାର ଭାୟାଲ ଅର୍ଥାତ ୪ ଲକ୍ଷ ୮ ହଜାର ଡୋଜ ଆସିଛି । ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଆସିଛି । ଗୋଟିଏ ଭାୟାଲରୁ ୧୦ ଜଣଙ୍କୁ ଟିକା ଦିଆଯିବ । ଭ୍ୟାକ୍ସିନ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି । ଆସନ୍ତାକାଲି ସକାଳୁ ବିଭିନ୍ନ ଜିଲ୍ଲାକୁ ଟିକା ଯିବ । ଟିକା ନେବା ପାଇଁ ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପ୍ରଥମ ଦଫାରେ ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରାଧାନ୍ୟ ଦିଆଯିବ । କୋଭିଡ ସ୍ଥିତି ସଙ୍ଗୀନ ଥିବା ଜିଲ୍ଲାକୁ ପ୍ରଧାନ୍ୟ ଦେଉଛନ୍ତି ସରକାର । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ ପ୍ରସ୍ତୁତ ହେବ । ପ୍ରଥମ ଦଫାରେ ୩ ଲକ୍ଷ ୨୮ ହଜାର ୬୫୦ ତାଲିକାଭୁକ୍ତ ହୋଇଛନ୍ତି । ରାଜ୍ୟର ୧୬୨ଟି କେନ୍ଦ୍ରରେ ଟିକାକରଣ ହେବ । ରାଜ୍ୟକୁ ‘କୋଭାକ୍ସିନ’ ଟିକା ୨୦ ହଜାର ଭାୟାଲ ଆସିବ । ଟିକା ନେବା ପାଇଁ ପଞ୍ଜିକରଣ କରିବାକୁ ପଡିବ । ୨୭ଟି ସରକାରୀ ହସପିଟାଲରେ ଟିକା ଦିଆଯିବ । ୧୮ଟି ଘରୋଇ ହସପିଟାଲରେ ଟିକା ଦିଆଯିବ । ୧୬ ତାରିଖରେ ଭୁବନେଶ୍ୱରର ୫ଟି କେନ୍ଦ୍ରରେ ଟିକା ନେଇପାରିବେ । ଟିକା ପାଇବାକୁ ଥିବା ବ୍ୟକ୍ତିଙ୍କୁ ‘ମେସେଜ’ ପଠାଯିବ । ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ।