ରାଜଧାନୀରେ ମାତିଲେ ଲୁଟେରା! ମହିଳାଙ୍କୁ ରକ୍ତରେ ଭିଜାଇଲେ, ଚେନ୍ ଲୁଟି ମାରିଲେ ଚମ୍ପଟ

33

କନକ ବ୍ୟୁରୋ : ମୁଣ୍ଡକୁ ହାଣି ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ । ରାଜଧାନୀରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏଭଳି ଏକ ଘଟଣା । ବରମୁଣ୍ଡାରୁ ସୂର୍ଯ୍ୟନଗର ଫେରୁଥିବା ଏକ ଦମ୍ପତିଙ୍କୁ ଦୁଇ ଲୁଟେରା ପଛପଟୁ ମରଣାନ୍ତକ ଆକ୍ରମଣ କରି ସୁନା ଚେନ୍ ଲୁଟି ନେଇଛନ୍ତି । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସଂପୃକ୍ତ ମହିଳା ।ରାଜଧାନୀର ଶୁକ୍ରବାରର ସନ୍ଧ୍ୟା ଇନ୍ଦିରାଙ୍କ ପାଇଁ ଭୟ ଓ ଆତଙ୍କ ସାଜିଥିଲା । ସୁନା ଚେନ୍ ଲୁଟିବା ପାଇଁ ଦୁଇ ଲୁଟେରା ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଲହୁଲୁହାଣ କରିପକାଇଥିଲେ । ଯାହା ଭାବିଲେ ମଧ୍ୟ ଭୟରେ ଛାତି ଥରିଉଠୁଛି ଇନ୍ଦିରାଙ୍କର ।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୭ ।ବରମୁଣ୍ଡାରୁ ସ୍ୱାମୀଙ୍କ ସହ ଗାଡିରେ ଘରକୁ ଫେରୁଥିଲେ ଇନ୍ଦିରା । ଶିରିପୁର ନିକଟରେ ତାଙ୍କୁ ପିଛା କରିଥିଲେ ଦୁଇ ଜଣ ଦୁର୍ବୃତ । ରାସ୍ତା ନିଛାଟିଆ ଦେଖି ହଠାତ୍ ଧାରୁଆ ଅସ୍ତ୍ରରେ ଇନ୍ଦିରାଙ୍କୁ ପଛପଟୁ ଆକ୍ରମଣ କରିଥିଲେ । ଜୋରରେ ଚିକ୍ରାର କରି ଗାଡିରୁ ତଳେ ପଡିଯାଇଥିଲେ ଇନ୍ଦିରା । ଆଉ ଦୁର୍ବୃତ ମାନେ ରକ୍ତାକ୍ତ ଇନ୍ଦିରାଙ୍କ ବେକରୁ ସୁନା ଚେନ୍ ଲୁଟି ଚମ୍ପଟ ମାରିଥିଲେ ।

ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ବାରମ୍ବାର ଘଟୁଥିବା ଏଭଳି ଘଟଣା ରାଜଧାନିବାସୀଙ୍କୁ ଭୟଭୀତ କରିଦେଉଛି । କମିସନରେଟ୍ ପୁଲିସ କଡ଼ା ପାଟ୍ରୋଲିଂ ବ୍ୟବସ୍ଥାର କଥା କହୁଥିବା ବେଳେ ଲୁଟେରା କିନ୍ତୁ ତାକୁ ଖୋଲାଖୋଲି ଚ୍ୟାଲେଂଜ୍ ଦେଉଛନ୍ତି । ଯାହା କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।