ଜାମ ନେଲା ଜୀବନ: ଆନ୍ଦୋଳନ ଯୋଗୁଁ ଗଡି ପାରିଲାନି ଗାଡି, ମେଡିକାଲରେ ପହଁଞ୍ଚିବା ଆଗରୁ ଅଧା ବାଟରେ ଚାଲିଗଲା ଜୀବନ

538

କନକ ବ୍ୟୁରୋ: ରାଜଧାନୀର ଅଘୋଷିତ ଟ୍ରାଫିକ ଜାମ ନେଇଗଲା ଜଣେ କଅଁଳ ଶିଶୁର ଜୀବନ । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଟ୍ରାଫିକ ଜାମରେ ଫଶିଗଲେ ଆମ୍ବୁଲାନ୍ସ । ଆଉ ହସ୍ପିଟାଲ ଯାଇନପାରିବାରୁ ଆମ୍ବୁଲାନ୍ସ ଭିତରେ ଚାଲିଗଲା ୩ ବର୍ଷର ଶିଶୁର ଜୀବନ । ସ୍ମାର୍ଟସିଟିର ଏଭଳି ଅଭାବନୀୟ ଘଟଣା ଏବେ ଅନେକ ପ୍ରଶ୍ନ ଠିଆ କରିଛି । ବିନା କାରଣରେ ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତାରେ କାହିଁକି ହେଉଛି ଟ୍ରାଫିକ ଜାମ? ଯଦି ରାଲି କିମ୍ବା ଆନ୍ଦୋଳନ ଯୋଗୁଁ ଏପରି ଟ୍ରାଫିକ ଜାମ ହେଉଛି ତେବେ ଏହାର ବିକଳ୍ପ ଟ୍ରାଫିକ ବ୍ୟବସ୍ଥା କରାଯାଉନାହିଁ କାହିଁକି ?

 

ଇଏ ହେଉଛି ସେହି ସମୟର ଚିତ୍ର । ଯେଉଁଠି ଟ୍ରାଫିକ ଜାମରେ ଫଶି ରହିଥିବା ଆମ୍ବୁଲାନ୍ସକୁ ବାହାର କରିବା ପାଇଁ ଆକୁଳ ନିବେଦନ କରୁଛନ୍ତି ଶିଶୁକନ୍ୟାଙ୍କ ପରିବାର । ହେଲେ ଗୁହାରି ଶୁଣିବାକୁ କେହିନାହିଁ । ଯୁଆଡେ ଦେଖିଲେ ସିଆଡେ ଜନସମୁଦ୍ର । ଗହଳି ଭିତରୁ ଆମ୍ବୁଲାନ୍ସ ବାହାରିବା ମୁସକିଲ । ର‌୍ୟାଲି, ଶୋଭାଯାତ୍ରା ଓ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଜାମ ଭିତରେ ଏହି ପରି ଘଂଟା ଘଂଟା ଧରି ଫଶି ରହିଥିଲା ଆମ୍ବୁଲାନ୍ସ । ଆଉ ଆମ୍ବୁଲାନ୍ସ ଭିତରେ ଜୀବନ ଓ ମୃତ୍ୟୁର ଦୋଛକିରେ ସଂଘର୍ଷ କରୁଥିଲା ଶିଶୁ କନ୍ୟା । ଏହି ଗହଳିରୁ ବାହାରି ହସ୍ପିଟାଲରେ ପହଂଚିବା ବେଳକୁ ସବୁ ସରିଯାଇଥିଲା । ଆରପାରିକୁ ଚାଲିଥିଲା ଶିଶୁକନ୍ୟା ।

ଏହେଉଛି ଗତକାଲି ଗହଳି ଭିତରେ ଫସିଥିବା ଆମ୍ବୁଲାନ୍ସର ଚିତ୍ର । ସତ୍ୟନଗର ଅଂଚଳ ହାଉସିଂବୋର୍ଡ ଅଂଚଳର ଏହି ଛୋଟ ଶିଶୁଟି ଖେଳୁ ଖେଳୁ ଘର ଭିତରେ ଥିବା ଏକ ପାଣି କୁଣ୍ଡରେ ପଡିଯାଇଥିଲେ । କିଛି ସମୟ ପରେ ପରିବାର ଲୋକ ଶିଶୁକନ୍ୟାକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ନେଉଥିଲେ ।

ହେଲେ ଘରଠାରୁ କିଛି ବାଟ ଆସିବା ପରେ ଆମ୍ବୁଲାନ୍ସ ଫଶିଯାଇଥିଲା ବିଗବଜାର-ମାଳିସାହି ରାସ୍ତାରେ । ରାସ୍ତା କାମ ଯୋଗୁଁ ଆଗକୁ ଯାଇପାରିନଥିଲା । ଚାଳକ ଆମ୍ବୁଲାନ୍ସକୁ ଫେରାଇ ସ୍ୱସ୍ତି ଗ୍ରାଣ୍ଡ ରାସ୍ତା ଦେଇ ନେଇଥିଲେ । ତେବେ ୭ରୁ ୮ଟି ସଂଗଠନର ଧାରଣା ଓ ଶୋଭାଯାତ୍ରା ଯୋଗୁଁ ଜନପଥରେ ଜାମରେ ରହିଯାଇଥିଲା ଆମ୍ବୁଲାନ୍ସ । ଆଉ ହସ୍ପିଟାଲରେ ଯେତେବେଳେ ପହଂଚିଥିଲା ଶିଶୁକନ୍ୟା, ସେତବେଳକୁ ଚାଲିଯାଇଥିଲା ଜୀବନ ।

ତେବେ ସତ୍ୟନଗର ଅଂଚଳର ଏହି ଘଟଣା ରାଜଧାନୀବାସୀଙ୍କୁ ଚମକାଇ ଦେଇଛି । ଟ୍ରାଫିକ ସମସ୍ୟା କମିସନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ଦୀର୍ଘ ଦିନ ଧରି ରାଜଧାନୀର ବିଭିନ୍ନ ରାସ୍ତାରେ ଏଭଳି ଟ୍ରାଫିକ ସମସ୍ୟା ଲାଗି ରହିବା ପୁଣିଥରେ ଟ୍ରାଫିକ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।