ଜମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ହେଲେ ଓଡିଆ ପୁଅ । ମୋଦିଙ୍କ ଗୁଡବୁକରେ ଥିବା ମୟୂରଭଞ୍ଜର ଗିରୀଶଙ୍କୁ ମିଳିଲା ବଡ ଦାୟିତ୍ୱ ।

1,992

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ନୂଆ ଉପ-ରାଜ୍ୟପାଳ ହେଲେ ଓଡ଼ିଆ ପୁଅ । ୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ହୋଇଥିବା ବେଳେ ମୋଦି ସରକାରରେ ପାୱାରଫୁଲ ଅଫିସର ଜଣାଶୁଣା ଥିଲେ । ଗିରୀଶ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ବ୍ୟୟ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଣିଥିବା କାମଚଳା ବଜେଟର ରୂପରେଖ କଣ ରହିବ ସେଥିରେ ଗିରୀଶଙ୍କର ବଡ ଭୂମିକା ରହିଥିଲା । ମୋଦିଙ୍କ ଗୁଡଲିଷ୍ଟରେ ଥିବା ଗିରୀଶ ଚଳିତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିରୀଶ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରିଛନ୍ତି । ଆଉ ସେବେଠାରୁ ଗିରୀଶ ମୋଦିଙ୍କର ଗୁଡବୁକରେ ରହି ଆସିଛନ୍ତି । ଗିରୀଶଙ୍କ ନିଯୁକ୍ତି ସହ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହାପୂର୍ବରୁ ଦୁଇ ଓଡ଼ିଆ ଦ୍ରୌପଦୀ ମୁର୍ମଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଓ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର ।