ଡିସେମ୍ବରରେ ହୋଇପାରେ ଆଗୁଆ ନିର୍ବାଚନ ! ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇବାକୁ ଚାହୁଁଛନ୍ତି ମୋଦି

38

କନକ ବ୍ୟୁରୋ : ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା  । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଶେଷ ଭାଗରେ ସାଧାରଣ ନିର୍ବାଚନ ହୋଇପାରେ  । ଏହି ଚର୍ଚ୍ଚା ପରେ ରାଜନୈତିକ ଦଳଙ୍କ ଭିତରେ ତତ୍ପରତା ପ୍ରକାଶ ପାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ନିର୍ବାଚନ ପାଇଁ ତାଙ୍କ ଦଳ ପ୍ରସ୍ତୁତ ଅଛି  ।୨୦୧୯ ମେ’ ବଦଳରେ ଆସନ୍ତା ଡିସେମ୍ବରରେ ହୋଇପାରେ ସାଧାରଣ ନିର୍ବାଚନ । ମୋଦି ସରକାର ଆଗୁଆ ନିର୍ବାଚନ କରିବା ପାଇଁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏ ନେଇ ସରକାର କ୍ଷେତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଜୋର ଧରିଛି ।

ଚଳିତ ବର୍ଷ ୮ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ପ୍ରଥମାର୍ଦ୍ଧରେ ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଓ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ରହିଛି ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମର ନିର୍ବାଚନ । ନିର୍ବାଚନ ଖର୍ଚ୍ଚ କମାଇବା ଏବଂ ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶ କାର୍ଯ୍ୟ ବାଧା ପାଉଥିବା ଯୋଗୁଁ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ଗୁରୁତ୍ୱ ଦେଉଛନ୍ତି ମୋଦି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଡିସେମ୍ବରରେ ଲୋକସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି ବିଜେପିର ଶୀର୍ଷ ନେତା । ଏକ ସମୟରେ ନିର୍ବାଚନ ହେଲେ ଦଳକୁ ଫାଇଦା ମିଳିବ ବୋଲି ଆକଳନ କରାଯାଉଛି ।

ସେପଟେ ଓଡ଼ିଶାରେ ଆଗୁଆ ନିର୍ବାଚନର କିଭଳି ପ୍ରଭାବ ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦିଙ୍କ ପ୍ରଭାବ ଓଡ଼ିଶାରେ ବି ଦେଖିବାକୁ ମିଳିବ ବୋଲି ବିଜେପି ନେତା ଆଶା ବାନ୍ଧି ବସିଛନ୍ତି । ସେହିପରି ନବୀନଙ୍କ ଭାବମୁର୍ତିକୁ ଆଧାର କରି ପଂଚମ ଥର ନିର୍ବାଚନ ଜିତିବାକୁ ଦମ୍ଭ ଦେଖାଉଛି ବିଜେଡି । ଆଗାମୀ ସାଧାରଣ ନିର୍ବାଚନ ବହୁ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଚାରି ଥର ନିର୍ବାଚନ ଜିତିଥିବା ବିଜେଡି ଆଗରେ ସରକାରୀ ବିରୋଧୀ ହାୱା ଏକ ଆହ୍ୱାନ ହୋଇଥିବା ବେଳେ ଜିଏସଟି ଓ ବିମୁଦ୍ରାକରଣ ବିଜେପି ପାଇଁ ବି ଚ୍ୟାଲେଂଜ ହେବ ।