କରୋନା ମହାମାରୀ ବେଳେ ବିଗିଡିଥିବା ଅର୍ଥନୀତି, ଗରିବ ଦେଶ ମାନଙ୍କୁ ଟିକା ଉପଲବ୍ଧ କରାଇବା ନେଇ ହୋଇପାରେ ଆଲୋଚନା । ଅତିଥି ଭାବେ ଭାରତକୁ ନିମନ୍ତ୍ରଣ

109

କନକ ବ୍ରୁରୋ : ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଧ୍ୟକ୍ଷତାରେ ଜି-୭ ର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଜୁନ୍ ରେ ହେବାକୁ ଥିବା ଜି-୭ ବୈଠକରେ ଏହା ଏକ ଅଂଶ ବୋଲି କୁହାଯାଉଛି । ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କରୋନା ମହାମାରୀ ବେଳେ ବିଶ୍ୱ ଅର୍ଥନୀତିର ସ୍ଥିତି, ଟିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ଅବିକଶିତ ରାଷ୍ଟ୍ର ମାନଙ୍କୁ ଟିକା ଉପଲବ୍ଧ କରାଇବା ନେଇ ଆଲୋଚନା ହୋଇପାରେ  ।

ବିଶେଷ କରି କରୋନା ମହାମାରୀ ସମୟରେ ବିଶ୍ୱ ଅର୍ଥନୀତିର ବର୍ତ୍ତମାନ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିପାରନ୍ତି   । ଏହି ବୈଠକରେ ଭାରତକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବା ବେଳେ ବିଶ୍ୱର ୭ ସମୃଦ୍ଧ ଦେଶର ଏହି ଗୋଷ୍ଠୀରୁ ଚୀନକୁ ବାଦ ଦିଆଯାଇଛି ।

ସେପଟେ ଏହି ବୈଠକରେ ଚୀନକୁ ସାମିଲ କରାଯାଇ ନ ଥିଲେ ବି ଏହି ବୈଠକ ଉପରେ ଚୀନ କଡା ନଜର ରଖିବ ବୋଲି ଆଶା କରାଯାଉଛି । କାରଣ ଦକ୍ଷିଣ ଚୀନ ସାଗର, ତାଇୱାନ ଓ ହଂକଂ ପ୍ରସଙ୍ଗରେ ଆମେରିକା ଓ ୟୁରୋପୀୟ ସଂଘ ସହ ବେଜିଂର ଉତ୍ତେଜନା ଲାଗି ରହିଛି । ଏହାସହ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ଭାରତ ସହ ବି ଚୀନର ସୀମା ବିବାଦ ଚରମ ସୀମାରେ ରହିଛି ।