ବନ୍ଧୁତା ଦିବସ ପାଇଁ ରାଜଧାନୀର ତାରକା ହୋଟେଲ ଗୁଡ଼ିକରେ ପ୍ରସ୍ତୁତି ଜୋରଜାର : ଉତ୍ସାହିତ ଯୁବପୀଢ଼ି, ନାମୀଦାମୀ କେକ୍ ସପରେ ଦିଆସରିଛି ଆଗୁଆ ଅର୍ଡର

66

ବନ୍ଧୁତ୍ୱ ଦିବସକୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ । ତାରକା ହୋଟେଲ୍‌ଠାରୁ ଆରମ୍ଭ କରି ରେସ୍ତୋରାଁ, କେକ୍‌ ସପ୍‌, ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ମାନ-ଅଭିମାନ, ରାଗ-ରୁଷା ଓ ପ୍ରେମ-ବିଶ୍ୱାସକୁ ନେଇ ଗଢ଼ି ଉଠିଥିବା ବନ୍ଧୁତ୍ୱକୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ ବନ୍ଧୁମାନେ ନିଜ ନିଜ ପକ୍ଷରୁ ପ୍ରୟାସ ଆରମ୍ଭ କରିଦେଲେଣି । ବିଭିନ୍ନ ତାରକା ହୋଟେଲରେ ବନ୍ଧୁତ୍ୱ ଦିବସ ପାଇଁ ଡିଜେ-ନାଇଟ୍‌ର ଆୟୋଜନ କରାଯାଇଛି । ଏଠାରେ ଯୁବପୀଢ଼ିଙ୍କ ପସନ୍ଦକୁ ନଜରରେ ରଖି ଲଞ୍ଚ ଓ ଡିନର୍‌ରେ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି । ରବିବାର ବନ୍ଧୁତ୍ୱ ଦିବସ ପଡ଼ୁଥିବାରୁ ହୋଟେଲଗୁଡ଼ିକରେ ଆଗୁଆ ବୁକିଂ ହୋଇଯାଇଛି । ମାରିଅନ୍‌ ହୋଟେଲରେ ମ୍ୟାନେଜର୍‌ କେ.କେ ସ୍ୱାଇଁ କହନ୍ତି, ବନ୍ଧୁତ୍ୱ ଦିବସ ପାଇଁ ସ୍ୱତନ୍ତ୍ର ବଫେଟ୍‌ ବ୍ୟବସ୍ଥା କରାଯାଇଛି । ଏହାର ଦାମ୍‌ ୮୦୦ ଟଙ୍କାରୁ ଆରମ୍ଭ ।

ସନ୍ଧ୍ୟାରେ ସଙ୍ଗୀତ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ସେହିଭଳି ଅନ୍ୟ ଛୋଟ ଛୋଟ ରୋସ୍ତୋରାଁରେ ବନ୍ଧୁତ୍ୱ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ପଟିଆ ନିକଟରେ ଥିବା ହୁକି-ଡୁକି ରେସ୍ତୋରାଁରେ ବନ୍ଧୁତ୍ୱ ଦିବସ ଉପଲକ୍ଷେ ର‍୍ୟାମ୍ପ ସୋ’, ନୃତ୍ୟ ପ୍ରତିଯୋଗିତା କରାଯାଉଛି । ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପ୍ରେମୀଯୁଗଳଙ୍କୁ ‘ମିଷ୍ଟର ଆଣ୍ଡ ମିସେସ୍‌ ହୁକିଡୁକି’ ଭାବେ ଚୟନ କରାଯିବ । ସେହିପରି ନାମୀଦାମୀ କେକ୍‌ ସପ୍‌ରେ ଆଗୁଆ ଅର୍ଡର ଦିଆ ସରିଛି । ବନ୍ଧୁତ୍ୱ ଦିବସ ପାଇଁ ସ୍ୱତନ୍ତ୍ର କେକ୍‌ ପ୍ରସ୍ତୁତ କରାଯାଇ ନଥିଲେ ମଧ୍ୟ ବିକ୍ରି ଭଲ ଜମିବ ବୋଲି ବହୁ ଦୋକାନୀ ଆଶାବାଦୀ ଅଛନ୍ତି । ପ୍ରତିବର୍ଷ ବନ୍ଧୁତ୍ୱ ଦିବସ ପରି ବିଭିନ୍ନ ଉତ୍ସବରେ କେକ୍‌ ବିକ୍ରି ବହୁପାରିମାଣରେ ବଢ଼ିଯାଏ ବୋଲି ଆଚାର୍ଯ୍ୟ ବିହାରରେ ଥିବା ପ୍ୟାରିସ୍‌ ବେକରିର ଏରିଆ ମ୍ୟାନେଜର୍‌ ସୁବ୍ରତ କୁହନ୍ତି ।