ଭଦ୍ରକରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ପଜିଟିଭ୍ ପୁରୁଷ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କଲେ ସରକାର । ରାଜ୍ୟରେ ୯୪, ଭଦ୍ରକରେ ୧୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା ।

2,233

କନକ ବ୍ୟୁରୋ: ରାଜ୍ୟରେ ଆଉ ୪ ନୂଆ କରୋନା ପଜିଟିଭ ଚିହ୍ନଟ । ଏହି ୪ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ୪ ଜଣ ପୁରୁଷ ରହିଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ, ୨୯ ବର୍ଷ ୪୧ ବର୍ଷ ଏବଂ ୨୪ ବର୍ଷ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ତିହିଡ଼ି ଓ ଅନ୍ୟ ଦୁଇଜଣଙ୍କ ଘର ଧାମନଗର ଅଞ୍ଚଳର ଜଣାପଡ଼ିଛି । ତେବେ ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ପୂର୍ବରୁ ଆଜି ସକାଳେ ଭଦ୍ରକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବର୍ତ୍ତମାନ ଏହି ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଁଚିଛି । ଅନ୍ୟପଟେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ଛୁଇଁଛି । ତେବେ ଏହି ୪ ନୂଆ କରୋନା ଆକ୍ରାନ୍ତଙ୍କ କନଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଥିବା ବେଳେ ୩୩ ଜଣ ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।