ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦଙ୍କ ପରଲୋକ : ଓଡ଼ିଶା କଂଗ୍ରେସ କମିଟିର ସଭାପତି ନୀରଂଜନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

130

କନକ ବ୍ୟୁରୋ : ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ୯୫ ବର୍ଷରେ ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ନିତ୍ୟାନନ୍ଦ ମିଶ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା କଂଗ୍ରେସ କମିଟିର ସଭାପତି ନୀରଂଜନ ପଟ୍ଟନାୟକ । ଶୋକବାର୍ତ୍ତାରେ ନିରଂଜନ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତ ମିଶ୍ର ଜଣେ ଦକ୍ଷ ଓ ସାଂଗଠନିକ କ୍ଷେତ୍ରରେ ବଳିଷ୍ଠ ଜନନେତା ଥିଲେ । ଜଣେ ସ୍ପଷ୍ଠବାଦୀ ମୂଲ୍ୟବୋଧ ଭିତିକ ରାଜନେତାର ଉଦାହରଣ ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ ।

ପରିବାର ସଦସ୍ୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ୱର୍ଗତ ମିଶ୍ର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା । ସେ ସ୍ତ୍ରୀ, ଦୁଇ ପୁଅ ଓ ତିନି ଝିଅଙ୍କୁ ଛାଡ଼ି ଯାଇଛନ୍ତି ।

ସ୍ୱର୍ଗତ ମିଶ୍ର ବଲାଙ୍ଗୀର ଜିଲ୍ଲାର କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ ଥିଲେ । ୧୯୭୮ରୁ ୮୧ ମସିହା ଯାଏ ସେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ । ୧୯୮୦ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ବଲାଙ୍ଗୀର ସାଂସଦ ତଥା ଜନତା ପ୍ରାର୍ଥୀ ଅଇଁଠୁ ସାହୁଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୪ ମସିହାରେ କଂଗ୍ରେସ ଦଳ ସପକ୍ଷରେ ସାରା ଦେଶରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାଜନିତ ଅନୁକମ୍ପା ହାୱା ବୋହୁଥିଲା । ସେଥର ଜନତା ପାର୍ଟି ପ୍ରାର୍ଥୀ ଅନଙ୍ଗଉଦୟ ସିଂହଦେଓଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ମସିହାରେ ଜନତା ଦଳ ହାୱାରେ ବାଳଗୋପାଳ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ । ତାପରେ ସେ ଆଉ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇନଥିଲେ । ଏପରିକି ନିର୍ବାଚନ ଲଢ଼ିବାକୁ ଟିକଟ ପାଇଁ ବି ଆଉ ଆବେଦନ କରିନଥିଲେ ।