ଧାମନଗର ମୈଦାନରେ ପାଞ୍ଚ ପ୍ରାର୍ଥୀ। ପ୍ରଚାରକୁ ଜୋରଦାର କଲେ ବିଭିନ୍ନ ଦଳର ନେତା।

101

କନକ ବ୍ୟୁରୋ: ବିଜେଡି ବିରୋଧରେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିବାବେଳେ ପ୍ରଚାରକୁ ଓହ୍ଲାଇଛନ୍ତି । ସାଙ୍ଗରେ ଅଳ୍ପକିଛି ସମର୍ଥକଙ୍କୁ ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ରାଜୁା ପୂର୍ବରୁ ବିଧାୟକ ଭାବେ ଅଞ୍ଚଳବାସୀଙ୍କ ସେବା କରିଥିଲେ ମଧ୍ୟ ବିଜେଡି କିଭଳି ପ୍ରତାରଣ କଲା, ସେହି କଥାକୁ ଲୋକଙ୍କୁ ବୁଝାଉଛନ୍ତି । ବିଜେଡିର ଏହି ବିଦ୍ରୋହୀ ପ୍ରାର୍ଥୀଙ୍କୁ ନୌକା ଚିହ୍ନ ମିଳିଥିବାବେଳେ ଧାମନଗରର ସମ୍ମାନ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

ଏପଟେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ନିଜନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି । ଶାସକ ଦଳ ବିଜେଡିର ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ବୟାଣ୍ଡି ପଞ୍ଚାୟତରେ ରୋଡ ସୋ କରିଛନ୍ତି ଦଳର ଷ୍ଟାର କ୍ୟାମ୍ପେନର ମୁନା ଖାଁ, ପ୍ରୀତିରଞ୍ଜନ ଘଡେଇ ଓ ସୁଲତା ଦେଓ । ସିମ୍ପାଥି ଭୋଟକୁ ଧରି ଆଗକୁ ବଢୁଥିବା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ତିହିଡିରେ ପ୍ରଚାର କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ମଧ୍ୟ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରଚାର ମୈଦନାକୁ ଓହ୍ଲାଇ ପଡିଛନ୍ତି ।

ଅବନ୍ତୀ ଦାସ
– ଜଣେ ମିଶନ ଶକ୍ତି ମହିଳା ହୋଇଥିବାରୁ ମହିଳା ଭୋଟ୍ ମିଳିପାରେ
– ପଂଚାୟତ ନିର୍ବାଚନରେ ଭଲ ବ୍ୟବଧାନରେ ଜିତିଥିଲେ ଅବନ୍ତୀ
– ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ତାଙ୍କ ସପକ୍ଷରେ ଯାଇପାରେ ଜନମତ
ରାଜେନ୍ଦ୍ର କୁମାର ଦାସ
– ୨୦୧୯ ନିର୍ବାଚନ ମାତ୍ର ୪ ହଜାର ୯୫୬ ଭୋଟରେ ହାରିଥିଲେ
– ୨୨ ବର୍ଷ ଧରି ସେ ଧାମନଗର ରାଜନୀତିରେ ସକ୍ରିୟ ଅଛନ୍ତି
– ୨୦୧୪ରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ
– ବିଷ୍ଣୁ ସେଠୀଙ୍କ ପୁଅ ହୋଇଥିବାରୁ ମିଳିପାରେ ସମବେଦନାର ଭୋଟ୍
– ଯୁବବର୍ଗ ତାଙ୍କ ସହିତ ଯାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା
– ପୂର୍ବରୁ ଯୁବ ସଂଗଠନ ଜରିଆରେ ଲୋକପ୍ରିୟତା ହାସଲ କରିଛନ୍ତି
ବାବା ହରେକୃଷ୍ଣ ସେଠୀ
– ଛାତ୍ର ଜୀବନରୁ ରାଜନୀତିରେ ଅଛନ୍ତି କଂଗ୍ରେସ ପାର୍ଥୀ ବାବା ହରେକୃଷ୍ଣ
– ଧାମନଗର ଏନଏସିରେ ତାଙ୍କ ପ୍ରଭାବ ଓ ପତିଆରା ରହିଛି
– ସଂଖ୍ୟାଲଘୁ ଭୋଟ ତାଙ୍କ ସପକ୍ଷରେ ଯିବା ନେଇ ଆକଳନ